ମହିଳାଙ୍କ ମୃତଶରୀର ଉଦ୍ଧାର କଲା ଟିକାବାଲି ପୁଲିସ…

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତ ନିକଟସ୍ଥ ଏଜାଡେ଼ଲା ଛକ ଜଙ୍ଗଲରୁ ଆଜି ଜଣେ ମହିଳାଙ୍କ ମୃତ ଦେହ ଜବତ କରିଛି ପୁଲିସ l ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ମୃତ୍ୟୁ ଘଟି ଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ଏହି ମୃତ ଦେହ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନଗୁମାଗଡ଼ ଗ୍ରାମର ନିଶିକାନ୍ତ ପ୍ରଧାନଙ୍କ ସ୍ତ୍ରୀ ରୁନିମା ପ୍ରଧାନଙ୍କ ବୋଲି ଜଣା ପଡିଛି l ମୃତ ରୁନିମା ପ୍ରଧାନଙ୍କ ଦୁଇଟି ସନ୍ତାନ ଥିବାର ଖବର ମିଳିଛି l ରୁନିମା ଗତ ମଙ୍ଗଳବାର ଦିନ ନିଜ ବଡ଼ ଦିଦି ସୁଭଦ୍ରା ସହିତ ସାନଗୁମାଗଡ଼ ଗାଁରୁ ବସ୍ତିଙ୍ଗିଆ ଆଶ୍ରମ ବିଦ୍ୟାଳୟକୁ ନିଜର ଝିଅକୁ ଦେଖିବା ପାଇଁ ଯାଇଥିଲା ବୋଲି ସୂଚନା ରହିଛି l ମୃତ୍ୟୁ ରୁନିମାର ବୟସ ପାଖାପାଖୀ 40 ରୁ 42 ବର୍ଷ ବୟସ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି l ଘଟଣା ସ୍ଥଳରେ ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀ ମୟୀ ଷେଣ୍ଢ, ତହସିଲଦାର ନର୍ମଦା ନାୟକ ଏବଂ ବିଭାଗୀୟ ଅଧିକାରୀମାନେ ପହଂଚି ଘଟଣାର ତନାଘନା ଆରମ୍ଭ କରିଥିବା ଜଣାପଡିଛି l ଏନେଇ ଟିକାବାଲି ପୁଲିସ ପକ୍ଷରୁ ୦୬/୨୦୨୪ରେ ଏକ ଅପମୃତ ମାମଲା ରୁଜୁ କରି ଶବକୁ ଜବତ କରି ଅଧିକା ତଥ୍ୟ ପ୍ରମାଣ ପାଇଁ ତଦନ୍ତ ଅଧିକାରୀ ଭାବେ ରବିନ୍ଦ୍ର ହେମ୍ବ୍ରମଙ୍କୁ ଦାୟିତ୍ୱ ଭାର ଦେଇଥିବା ଟିକାବାଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ଦାୟିତ୍ୱରେ ଥିବା ପୁଲିସ ଶ୍ରୀ ହେମ୍ବ୍ରମ କହିଛନ୍ତି ଯେ ଏହାର ଅଧିକ ସତ୍ୟାସତ୍ୟ ତଥ୍ୟ ପ୍ରମାଣ ପାଇଁ ଏକ ଅନୁସନ୍ଧାନକାରୀ କୁକୁରକୁ ମଧ୍ୟ ନି୍ୟଜିତ କରି ଛାନ୍ନବିନ କରୁଥିବା ସହିତ ସାଇଣ୍ଟଫିକ ଟିମକୁ ମଧ୍ୟ ଡାକି ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି l ହେଲେ ଏପରି ଏକ ଲୋମ ଟାଙ୍କୁରା଼ ଘଟଣା କିଏ ଓ କାହିଁକି ଘଟାଇଛି ତାର କାରଣ ଅସ୍ପଷ୍ଟ ରହିଛି l ଆଜିର ଏହି ଘଟଣା ସାରା ଅଞ୍ଚଳ ବାସୀଙ୍କୁ ଚକିତ କରିଥିବା ଜଣାପଡିଛି l