ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ମୁଜାଗଡ ପଞ୍ଚାୟତର ବିଜେଡି ସମର୍ଥିତ ମହିଳା ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଦଳ ବିପକ୍ଷରେ ଯାଇଛି। ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ପଞ୍ଚାୟତର ୧୫ଜଣ ଓ୍ବାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୨ ଜଣ ଓ୍ବାର୍ଡ ସଭ୍ୟସଭ୍ୟା ସରପଞ୍ଚ ସୁକାନ୍ତି ସେଠୀଙ୍କ ବିରୋଧରେ ଭୋଟ ଦେଇଥିଲେ । ଫଳରେ ଅନାସ୍ଥା ତାଙ୍କ ସପକ୍ଷରେ ନଯାଇ ବିରୋଧରେ ଯାଇଥିଲା । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କରାଇ ଅର୍ଥ ତୋଷାରପାତ ହୋଇଥିବା ସହ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ସ୍ବାମୀ ହସ୍ତକ୍ଷେପ କରୁଥିବା ଓ୍ବାର୍ଡ ସଭ୍ୟମାନେ ଅଭିଯୋଗ କରିଥିଲେ । ନାଏବ୍ ସରପଞ୍ଚ ଶୁସାନ୍ତ ନାଇକଙ୍କ ସମେତ ୧୧ ସଭ୍ୟ ସଭ୍ୟା ସରପଞ୍ଚ ସୁକାନ୍ତି ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଆଉ ନିର୍ଦ୍ଧାରିତ ଦିନ ଅନୁସାରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ହୋଇଥିଲା । ପୂର୍ବାହ୍ନ ୧୧ରୁ ଭୋଟ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ସଭ୍ୟ ଭୋଟ ଦେଇଥିଲେ । ବିଜେଡି ସମର୍ଥିତ କୌଣସି ଓ୍ବାର୍ଡ ସଭ୍ୟ ଭୋଟ ଦେବାକୁ ଆସିନଥିଲେ । ୧୨ ଜଣ ଓ୍ବାର୍ଡ ସଭ୍ୟ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ଗଣତି ପରେ ଫଳାଫଳ ସରପଞ୍ଚଙ୍କ ବିପକ୍ଷରେ ଆସିଥିଲା । ମତଦାନ ସମୟରେ ନିର୍ବାଚନ ଅଧିକାରୀ ଭାବେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଥାନା ଅଧିକାରୀ କୁମର ମୁଦୁଲି ଓ ବ୍ଲକ ପ୍ରଶାସନର ଅଧିକାରୀ ଗଣ ଉପସ୍ଥିତ ଥିଲେ । ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଥିବାରୁ ଦଳୀୟ କର୍ମୀ ଉତ୍ସବ ପାଳନ କରିଛନ୍ତି । ନାୟବ ସରପଞ୍ଚ ସୁଶାନ୍ତ ନାଇକ, ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ, ପ୍ରାକ୍ତନ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ନେଇ ଶତାଧିକ ଦଳୀୟ କର୍ମୀ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲ ।