ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ଟାଉନ ହଲରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଷ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ମୁଖ୍ୟ ବକ୍ତା ରୂପେ କେଏସୟୁବି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ।ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ନିଜର କାର୍ଯ୍ୟକୁ ସାଧୁତା ଓ ସଚୋଟତାର ସଂପାଦନ କରିବାକୁ ମୁଖ୍ୟ ଅତିଥି ଭିଜିଲାନ୍ସ ଏସପି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ନିଷ୍ଠା ଓ ସାଧୁତାର ସହିତ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟ ରେ କହିଥିଲେ । ନିଜେ ଦୁର୍ନୀତି ନକରିବା ସହ ଦୁର୍ନୀତିକୁ ପ୍ରଶୟ ନଦେବାକୁ ମୁଖ୍ୟ ବକ୍ତା ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ । ଭିଜିଲାନ୍ସ ଏସପି ଶ୍ରୀ ପ୍ରଧାନ ଉପସ୍ଥିତ ଭଞ୍ଜନଗର ଉପଖଣ୍ଡର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକଙ୍କ ପାଇଁ ଶପଥ ପାଠ କରାଇଥିଲେ । ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନନେବା, ସମସ୍ତ ଦାୟିତ୍ୱକୁ ସାଧୁତା ଏବଂ ସ୍ବଚ୍ଛତାର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା କରିଥିଲେ।ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ଅଧିନ ସମସ୍ତ ବ୍ଲକ, ତହସିଲ ଓ ଏନଏସିର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।