ରାଇରଙ୍ଗପୁର(ଉତ୍ତମ ରାମ): ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ମୁଣ୍ଡରେ ଦୀର୍ଘ 5 ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ । ବିନା ଫଳକରେ କାମ ଚାଲିଛି । ମାସରେ ୫/୬ଦିନ କାମ କରନ୍ତି । ଲୋକଙ୍କ ଦାବି ମୁତାବକ ୨୦୧୯ରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧାରେ ଗୋରୁମହିଷାଣୀ ବଜାରକୁ ଯାଇପାରନ୍ତେ । ଏନେଇ ଗତ ବର୍ଷ(2023) ଚଢେଇପାହାଡି ପଂଚାୟତର ସମିତି ସଭ୍ୟା କୁନି ସର୍ଦ୍ଦାର ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପୋଲ ନିର୍ମାଣ ଶ୍ରୀଘ ଶେଷ ପାଇଁ ଅଭିଯୋଗ ଦେଇଥିଲେ l ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ l 3 ମାସ ଭିତରେ ପୋଲ ନିର୍ମାଣ କାମ ଶେଷ ହେବ ବୋଲି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଦେଇଥିଲେ । ସମସ୍ୟାର ସମାଧାନ ନ ହେଲେ ଚଢ଼େଇ ପାହାଡି ପଂଚାୟତ ସମିତି ସଭ୍ୟା କୁନି ସର୍ଦାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବେ ବୋଲି ଚେତାବନୀ ଦେଇଛନ୍ତି ।