ପାଣି ସମସ୍ୟାର ସମାଧାନ ପାଇଁ ରାସ୍ତା ରୋକ କଲେ ମହିଳା…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ପରିସଲ ଗାଁରେ ପାଣି ସମସ୍ୟାକୁ ନେଇ ତାତିଲେ ମହିଳା । ପରିସଲ ଗାଁର ସମସ୍ତ ମହିଳା ସକାଳୁ ସକାଳୁ ନିଜନିଜର ହାଣ୍ଡି ମାଠିଆ ରାସ୍ତାରେ ରଖି ନିଆଁଜାଳି ମୂଖ୍ୟରାସ୍ତା ରୋକି ପ୍ରତିବାଦ କରିଥିଲେ । ସେଥି ପାଇଁ ପରିସଲ ଠାରେ ଦୁଇ ପାଖରେ ଅନେକ ଅଟୋ ଓ ଗାଡି ଅନେକ ସମୟ ଅଟକି ରହିଥିଲା । ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଖବର ପାଇ ବିଡିଓଙ୍କ ହସ୍ତକ୍ଷେପ ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପସ୍ଥିତି ଓ ପ୍ରତିସୃତିପରେ ରାସ୍ତାରୋକ ହଟିଥିଲା । ମିଳିଥିବା ସୂଚନା ଅନୁସାରେ ଦୀର୍ଘଦିନ ହେଲା ଗାଁର ପାଣି ସମସ୍ୟା ଥିବା ନିଜ ପଞ୍ଚାୟତ ସରପଞ୍ଚ, ପିଇଓ, ବିଭାଗୀୟ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ମଧ୍ୟ ଅଭିଯୋଗ କରି ସାରିଛନ୍ତି ଅଞ୍ଚଳ ବାସୀ । ତା ସହ ମଧ୍ୟ ପାଣି ଅପରେଟରଙ୍କ ମନମୁଖୀ ବ୍ୟବହାର ଯୋଗୁ ପାଣି ନପାଇ ରାସ୍ତାରୋକ କରିଥିବା କେତେକ ମହିଳା ମାନେ କହିଛନ୍ତି ଓ ସେହି ଅପରେଟରଙ୍କୁ ବହିଷ୍କାର ପାଇଁ ମଧ୍ୟ ଗ୍ରାମର ମହିଳା ଓ ପୁରୁଷ ଦାବି କରିଛନ୍ତି । ତେବେ ସରପଞ୍ଚ କୁମାରୀ କାର୍ଯ୍ୟୀ ଓ ସମିତିସଭ୍ୟ ଜଗନ୍ନାଥ ରଇତ ଓ ବିଭାଗୀୟ ଯନ୍ତ୍ରୀ ପ୍ରଭାକର ମୁନୀ ପ୍ରମୁଖଙ୍କ ଉପସ୍ଥିତିରେ ମହିଳାମାନଙ୍କୁ ସ୍ବାନ୍ତନା ଦେବା ସହ ପାଣି ସମସ୍ୟାର ସମାଧାନ ଲାଗି ଆଲୋଚନା କରିଛନ୍ତି । ତେବେ ଦେଖିବାକୁ ବାକିରହିଲା ଏଇ ପରିସଲ ଗ୍ରାମର ପାଣିର ସ୍ଥାୟୀ ସମସ୍ୟା କେବେ ଓ କେମିତି ଦୂର ହେବ ।