କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଆଜିକୁ ସପ୍ତାହରୁ ଉର୍ଦ୍ଧ ହେବ ଦଶହରା ସରି ଯାଇଥିବା ବେଳେ କାମାକ୍ଷାନଗର ସହରରେ ବିଭିନ୍ନ ବଜାର କମିଟି ତରଫରୁ ନିର୍ମାଣ କରାଯାଇଥିବା ବାଉଁଶ ତୋରଣ ଗୁଡିକ ଆଜି ପର୍ଯ୍ୟନ୍ତ ଖୋଲାଯାଇନାହିଁ l ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଦୁର୍ଘଟଣା ମଧ୍ୟ ହେଉଥିବା ଦେଖାଯାଉଛି l ଆଜି ଦଶହରା ପାଇଁ ନିର୍ମାଣ ହୋଇଥିବା ତୋରଣରେ ଜଣେ ବାଇକ ଆରୋହୀ ପିଟି ହୋଇ ଗୁରୁତର ହୋଇଛନ୍ତି l ଗୁରୁତର ଯୁବକ ଜଣକ କାମାକ୍ଷାନଗର ସହରର ମହିମାନଗର ସାହିର ମାନସ ରଞ୍ଜନ ନାୟକ l ସୂଚନା ଅନୁସାରେ ମାନସ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଜିରିଡାମାଳିରୁ ନିଜ ଘରକୁ ଫେରୁଥିବା ବେଳେ ମେନରୋଡ଼ରେ ରହିଥିବା ତୋରଣରେ ପିଟିହୋଇ ଯାଇଥିଲେ l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମାନସଙ୍କ ପଲସର ବାଇକଟି ତୋରଣରେ ପିଟିହୋଇ ଖଣ୍ଡ ଖଣ୍ଡ ହୋଇ ଯାଇଛି l ଗାଡିର ହାଣ୍ଡେଲ ଛିଡି ଯାଇଥିବା ବେଳେ ମାନସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି l ସ୍ଥାନୀୟ ଲୋକ ମାନସଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି l ତେବେ ଦଶହରା ସରିବାର ସପ୍ତାହେରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ କାହିଁକି ତୋରଣ ଗୁଡିକୁ ମୁଖ୍ୟରାସ୍ତାରୁ ଖୋଲା ଯାଉନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି l