ସାପ କାମୁଡା ନାବାଳିକାର ମୃତ୍ୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନୂଆ ଗୋଛାବାଡି ଗ୍ରାମ ବଡ଼ସାହିର ଦେବରାଜ ପ୍ରଧାନଙ୍କ ସାନ ଝିଅ ପିଙ୍କି ପ୍ରଧାନ(୧୭)ଙ୍କୁ ସାପ କାମୁଡାରେ ମୃତ୍ୟୁ ଘଟିଛି । ପିଙ୍କିକୁ ଗତକାଲି ମଧ୍ୟରାତ୍ରରେ ବିଷଧର ସାପ କାମୁଡିବା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।  ଶନିବାର ଦିନ ମୃତ ପିଙ୍କି ପରିବାର ସହ ଖାଇପିଇ ରାତରେ ଶୋଇଥିଲେ । ମଧ୍ୟରାତ୍ରରେ ଡାହାଣ ହାତର ମଧ୍ୟଭାଗକୁ ଆଘାତ ଲାଗିବାରୁ ହଠାତ ଉଠିଯାଇ ପରିବାରକୁ ଜଣାଇଥିଲେ ।  ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଡାକ୍ତର ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପିଙ୍କିଙ୍କ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ପିଙ୍କିର ଓଠ, ଆଖି ଓ ଶରୀର କଳା ପଡିଯିବାରୁ କୌଣସି ଏକ ବିଷଧର ସାପ ଆଘାତ କରିବାରୁ ମୃତ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ବାପା ଦେବରାଜଙ୍କ ଏତଲା କ୍ରମେ ବ୍ରହ୍ମପୁର ସ୍ଥିତ ବିଏନପୁର ପୁଲିସ ପହଂଚି ଅପମୃତ ମାମଲା ୬୬୩/୨୪ପ୍ରକାରେ ଶବକୁ ଜବତ କରିଛି । ବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ମୃତକଙ୍କ ବାପା ଦେବରାଜ ସୂଚନା ଦେଇଛନ୍ତି ।