ଭଞ୍ଜନଗର(ନିଲୁ ବିଷୋୟୀ) :ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ବିଡ଼ିଓ ବିଡ଼ିଓ ମନ୍ମଥ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଉମାଶଙ୍କର ବେହେରା, ପୂର୍ତ୍ତବିଭାଗ ଯନ୍ତ୍ରୀ ପ୍ରତାପ ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ, ସିଡିପିଓ ମିଲିମା କୁମାରୀ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ରହି ବାତ୍ୟା ପୂର୍ଵ ଓ ପରବର୍ତ୍ତୀ ସମୟରେ କିଭଳି ପରିଚାଳନା କରାଯିବ ସେ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ଜିରୋ କାଜୁଆଲିଟି ଉପରେ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଛି। ବାତ୍ୟା ପୂର୍ଵରୁ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ନିକଟସ୍ଥ ବିଦ୍ୟାଳୟ ସମେତ ସରକାରୀ କୋଠା ଭଳି ସୁରକ୍ଷିତକୁ ସ୍ତାନାନ୍ତର ଅରାଯିବ । ବର୍ତ୍ତମାନ ଖରିଫ୍ ଧାନ ପାଚିବା ସମୟ ହୋଇଥିବାରୁ ପାଚିଯାଇଥିବା ଧାନ ଅମଳ କରି ସୁରକ୍ଷିତ ସ୍ଥାନକୁ ଆଣି ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସେହିଭଳି ବିଦ୍ୟୁତ, ସ୍ବାସ୍ଥ୍ୟ, ପାନୀୟଜଳ ବିଭାଗ ପକ୍ଷରୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସୁତି ମହିଳାଙ୍କୁ ବାତ୍ୟା ପୂର୍ଵରୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି । ବାତ୍ୟା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରି ଯେପରି ନହୁଏ ସେଦିଗରେ ଯୋଗାଣ ଅଧିକାରୀ ଦୃଷ୍ଟି ଦେବା ସହ ଆଶ୍ରୟସ୍ଥଳୀ ଗୁଡିକରେରେ ପ୍ରଚୁର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟ ରେ ଯୁଦ୍ଧ କାଳିନ ଭିତିରେ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା, ପଡି ଥିବା ଗଛ କାଟି ରାସ୍ତା ସଫା କରାଯିବା ଦିଗରେ ଯତ୍ନବାନ ହେବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ରାଜସ୍ବ, ଅଗ୍ନିଶମ, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ବିଦ୍ୟୁତ, ପୁର୍ତ୍ତ, ଯୋଗାଣ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥି, ଏବିଡିଓ ପୁର୍ଣ୍ଣଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।