ପ୍ରଶାସନିକ ଅବହେଳା ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା: ମରଣଜନ୍ତା ପାଲଟିଛି ବିଜୁ ଏକ୍ସପ୍ରେସ ୱେ, ବାଇକ ଦୁର୍ଘଟଣାରେ ଯୁବକ ମୃତ…..

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ଯୁଗେନପଦର ନିକଟ ଉଦନ୍ତି ବ୍ରିଜ୍ ଠାରେ  ଏକ ସଡକ ଦୁର୍ଘଟଣା ହୋଇଥିବା ବେଳେ ଜଣେ ବାଇକ ଆରୋହୀ ଯୁବକଙ୍କ ମୃତ ଘଟିଥିବା ଜଣାପଡ଼ିଛି । ମୃତ ବ୍ଯକ୍ତି ଜଣକ ସିନାପାଲି ଥାନା ମଖାପଦର ଗ୍ରାମର ନବିନ ମାଝି(୪୨) ବୋଲି ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ଗତ ଶୁକ୍ରବାର ସଂନ୍ଧ୍ଯାରେ ନବିନ ତାଙ୍କ ଶ୍ୱଶୁର ଘର କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗେଣ୍ଡୁଲ ଯାଇଥିଲେ । ସେଠାରୁ ନିଜ ଘରକୁ ନ ଆସି ସିଧା ବୋଡେ଼ନ ବ୍ଲକ ସୁନାପୁର ଗାଁ ତାଙ୍କ ସୋଡୁଭାଇ ଘରକୁ କୋୖଣସି ବିଶେଷ କାର୍ଯ୍ୟରେ  ବାଇକ (ଓଡ଼ି ୨୬ ବି  ୫୫୮୨)ରେ ବାହାରି ଥିଲେ । ହେଲେ ବିଳମ୍ବିତ ରାତି ପ୍ରାୟ ୧୧ ରୁ ୧୨ଟା ମଧ୍ୟରେ ଯୁଗେନପଦର  ନିକଟ ଉଦନ୍ତି ନଦୀ ବ୍ରିଜ୍ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ.। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ମୁହଁମାଡି  ପଡିଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ହୋଇଥିବା ଦେଖି ସିନାପାଲି ପୁଲିସକୁ ଖବର ଜଣାଇଥିଲେ । ସିନାପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତୁରନ୍ତ ଦୁର୍ଘଟଣା ଗ୍ରସ୍ତ ବ୍ଯକ୍ତିଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ହେଲେ ସେହି ବାଇକ ଆରୋହୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ମର ଶରୀର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରକାଶ ଯେ ମୃତ ବ୍ଯକ୍ତିର ସ୍ତ୍ରୀ ସଶ୍ମିତା ମାଝୀ ବର୍ତ୍ତମାନ ଅସହାୟ ହୋଇପଡିଛି । ତାଙ୍କ ଦୁଇପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ଏହି ଘଟଣା ପରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି l ସୂଚନା ଯୋଗ୍ୟ ଯେ ସିନାପାଲି ମଧ୍ୟ ଦେଇ ଅତିକ୍ରମ କରିଥିବା ବିଜୁ ଏକ୍ସପ୍ରେସ ନିର୍ମାଣରେ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟି ବାରମ୍ବାର ଲୋକଙ୍କ ଜୀବନ ହାନି ହେଉଥିବା ଅଭିଯୋଗ ହେଉଛି । ଅଞ୍ଚଳରେ ବିଜୁ ଏକ୍ସପ୍ରେସ ୱେ ଏକ ମରଣ ଯନ୍ତା ବୋଲି ଚର୍ଚ୍ଚା ଜୋର ଧରିଛି । ଯେହେତୁ କୋଟିକୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଉଦନ୍ତୀ ପୋଲ ଦୀର୍ଘ ବର୍ଷ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ନିର୍ମାଣ କାର୍ଯ୍ୟ ନସରୁଣୁ ପୋଲ ଖୁଣ୍ଟ ଦବିଯିବା ଫଳରେ ତିରିଶ ବର୍ଷ ପୁରୁଣା ପୋଲରେ ଯାତାୟାତ ଚାଲିଛି l ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ରାସ୍ତା ଉପରେ ସ୍ୱତନ୍ତ୍ର ବେରୀଗେଟ କିମ୍ବା ଡାଇଭର୍ଶନର ବ୍ୟବସ୍ଥା କରାଯାଇ ନାହିଁ । ନାମକୁ ମାତ୍ର ମୋରମ ମାଟି ଦେଇ ରାସ୍ତାକୁ ବ୍ଲକ କରାଯାଇଛି । ଯଦ୍ୱାରା ଲୋକେ ଏହି ପୋଲ ଉପରେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟୁଥିବା ଅଭିଯୋଗ ହେଉଛି ।  ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।