ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ମୃତ୍ୟୁ….

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲରୁ ଡ଼ହଗାଁ ରାସ୍ତା ମଝିରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ବାଇକ ଧକ୍କା ଦେବାରୁ ଚାଷଜମିକୁ ଯାଉଥିବା ଛିଲିପାମାଲ ଗ୍ରାମର ଜଣେ ଚାଷୀ ବିଳାମ୍ବର ନାଗ (୫୫) ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ପରେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଅବସ୍ଥା ଜଟିଳ ଥିବା କାରଣରୁ ଡାକ୍ତର ତାଙ୍କୁ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ନେବା ପାଇଁ ଡାକ୍ତରଙ୍କୁ କହିବା ପରେ ପରିବାର ଲୋକଙ୍କ ସହମତି ପରେ ଡାକ୍ତର ତାଙ୍କୁ ଛାଡିଥିଲେ । ଏକ ଘରୋଇ ଆମ୍ବୁଲାନ୍ସରେ ଗୁରୁତର ବ୍ୟକ୍ତିଙ୍କୁ ନେବା ବାଟରେ କୋକସରା ନିକଟରେ ଗୁରୁତର ବିଳାମ୍ବରଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ତାଙ୍କ ମୃତଦେହକୁ କୋକସରା ଡାକ୍ତରଖାନା ପରିସରରେ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଧର୍ମଗଡ ବ୍ଲକ ଅଁଳାଜୋର ଗ୍ରାମର ଈଶ୍ୱର ବାଗ ହୋଇ ଥିବା ଜଣାପଡିଛି । ମୃତ୍ୟୁ ପରେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଏନେଇ ପରିବାର ଲୋକେ କୋକସରା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିବା ସୂଚନା ମିଳିଛି । ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।