ନୁଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରାଣ୍ୟର ଗାଦିବେଡ଼ା ଗାଁରେ ମହିଳାମାନେ ମଦମୁକ୍ତ ଗାଁ ଗଠନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଗାଁରୁ ବିପୁଳ ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି । ସୁନାବେଡ଼ା ଅଭୟାରଣ୍ୟରେ ଦିନକୁ ଦିନ ଦେଶୀମଦ ବିକ୍ରି ଓ ରନ୍ଧାମଦ କାରବାର ବୃଦ୍ଧି ପାଉଛି । ଏଥିସହ ଆଦିବାସୀ ମହିଳାମାନେେ ନିର୍ଯ୍ୟାତିତ ହେଉଛନ୍ତି । ସୁନାବେଡ଼ା ପଞ୍ଚାୟତ ଗାଦିବେଡ଼ା ଗାଁରେ ବେଆଇନ ଭାବେ ଦେଶୀମଦ ବିକ୍ରି ବଢ଼ିବାରେ ଲାଗିଛି । ଏହି ଗାଁର ଅନେକ ଲୋକେ ମଦ ରାନ୍ଧି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଗାଁର ପୁରୁଷମାନେ ଦିନ ତମାମ ମଦ ନିଶାରେ ରହୁଛନ୍ତି । କମ ବୟସରୁ ପିଲାମାନେ ନିଶା ସେବନ କରି ପଥଭ୍ରଷ୍ଟ ହେଉଛନ୍ତି । ପ୍ରତିଘରେ ପୁରୁଷ ଓ ପିଲାଙ୍କ ନିଶା ସେବନ ହେତୁ ପାରିବାରିକ କଳହ ବଢ଼ିବାରେ ଲାଗିଛି । ପୁରୁଷମାନେ ଉପାର୍ଜିତ ଅର୍ଥକୁ ମଦରେ ଖର୍ଚ୍ଚ କରୁଥିବାରୁ ପରିବାର ଚଳିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ଗାଁର ମହିଳାମାନେ ଏକତ୍ରିତ ହୋଇ ବୈଠକ କରିଥିଲେ । ସେଠାରେ ଗାଁରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଆଜି ଅପରାହ୍ନରେ ଗାଁର ଏସଏଚଜି ମହିଳାମାନେ ମଦମୁକ୍ତ ଆନ୍ଦୋଳନକୁ ଓହ୍ଲାଇଥିଲେ । ଗାଁ ଦାଣ୍ଡରେ ମହିଳାମାନେ ମେଳି ବାନ୍ଧି ଗୋଟିଏ ମୁଣ୍ଡରୁ ବେଆଇନ ମଦ କାରବାର ଉପରେ ଚଢ଼ଉ କରିଥିଲେ । ଏଭଳି ପ୍ରାୟ ୧୫ରୁ ଅଧିକ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ମଦ ପୋଚ ସହ ମଦ ରୋଷେଇ ସାମଗ୍ରୀକୁ ଜବତ କରିଥିଲେ । ମହିଳାମାନେ ସବୁ ଜବତ ସାମଗ୍ରୀକୁ ଏକ ଟ୍ରାକ୍ଟରେ ଲଦି ଗାଁରେ ବୁଲିଥିଲେ ଓ ବେଆଇନ ମଦ କାରାବାର ବନ୍ଦ ପାଇଁ ନାରାବାଜି କରିଥିଲେ । ସେଠାରେ ମଦ ନିଶାର କୁପରିଣାମ ନେଇ ମହିଳାମାନେ ଲୋକଙ୍କୁ ବୁଝାଇଥିଲେ । ଆଗକୁ ଗାଁର କୌଣସି ବ୍ୟକ୍ତି ଦେଶୀମଦ ରୋଷେଇ କିମ୍ବା ବିକ୍ରି କଲେ ଦଣ୍ଡିତ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ସନ୍ଧ୍ୟାରେ ମହିଳାମାନେ ସବୁ ଜବତ ମଦ ତିଆରି ସମାଗ୍ରୀକୁ ଟ୍ରାକ୍ଟର ଆଣି ପୁଲିସ ଠାରେ ଜିମା ଦେଇଥିବା ସୂଚନା ମିଳିଛି । ସୁନାବେଡ଼ା ଅଭୟାରଣ୍ୟ ଭଳି ମାଓ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ମହିଳାମାନେ ସଚେତନ ହୋଇ ଦେଶୀମଦ କାରବାରକୁ ବିରୋଧ କରିଛନ୍ତି । ଆଗାମୀ ଦିନରେ ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନଙ୍କୁ ପୁଲିସ ଓ ଅବକାରୀ ବିଭାଗ ତରଫରୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି ।