କବାଡି ଖେଳୁଖେଳୁ ଚାଲିଗଲା ଖେଳାଲୀଙ୍କ ଜୀବନ…

ନୂଆପଡ଼ା(ବିରବଲ ପ୍ରଧାନ): କବାଡି ଖେଳ ସରିବାକୁ କିଛି ସମୟ ଥିଲା । କିଛି ସମୟ ପରେ ବିଜୟ ବିଜୟ ହୋଇଥାନ୍ତେ । ଆଉ ପୁରସ୍କୃତ ହୋଇଥାଆନ୍ତି। ହେଲେ ତା’ ପୂର୍ବରୁ କବାଡି ଖେଳରେ ଟଳି ପଡ଼ିଲେ ଖେଳାଳି । ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲାରେ । ମୃତ ଖେଳାଳି ହେଉଛନ୍ତି ଛତିଶଗଡ଼ ଖଗେଶ୍ବର ରାଠିଆ । ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ଉପଲକ୍ଷେ କୋମନା ବ୍ଳକ ତରବୋଡ ଗାଁରେ ଆନ୍ତଃ ରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍ ଭାଗ ନେଇଥିଲେ । ଆଜି ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିଲା । ସକାଳେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା । ମୁହାଁମୁହିଁ ହୋଇଥିଲେ ନୂଆପଡାର ହାତୀସରା ଟିମ୍ ଓ ଛତିଶଗଡ ମହାସମୁନ୍ଦ ଜିଲ୍ଲା ସରାଇପାଲି ଡୁଡୁମଚୁଆ ଗାଁର ଟିମ୍ । ପ୍ରଥମ ହାପ୍‌ରୁ ଡୁଡୁମଚୁଆ ଟିମ୍ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା । ପ୍ରତିପକ୍ଷ ଟିମକୁ ଚକମା ଦେଇ ପଏଣ୍ଟ ହାସଲ କରୁଥିଲେ । ପ୍ରଥମ ପରି ଦ୍ବିତୀୟ ହାପ୍‌ରେ ମଧ୍ୟ ଡୁଡୁମଚୁଆ ଟିମ୍ ଭଲ ଖେଳ ପ୍ରଦର୍ଶିତ କରି ପଏଣ୍ଟ ହାତେଇ ଥିଲା । ଟିମ୍ ବିଜୟ ଦ୍ବାରରେ ପହଞ୍ଚିଥିଲା । ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍ ବାକିଥିଲା । ଶେଷ ପର୍ଯ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ବର ରାଠିଆ ରେଡ୍‌ କରିବାକୁ ଯାଇଥିଲେ । ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ । ଯେଉଁଥିପାଇଁ ଖଗେଶ୍ବର ରାଗି ଯାଇଥିଲେ । ରାଗ ତମ ତମ ହୋଇ ଖଗେଶ୍ବର ନିଜ ପାର୍ଶ୍ବକୁ ଫେରୁଥିବା ବେଳେ ତଳେ ପଡ଼ି ଯାଇଥିଲେ । ଆଉ ଉଠି ପାରି ନ ଥିଲେ । ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି । ମୃତ କବାଡି ଖେଳାଳୀଙ୍କ ଘର ଛତିଶଗଡ଼ ଡୁଡୁମଚୁଆ ଗାଁରେ । ପୁଲିସ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା । ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାର ଲୋକ ଖଗେଶ୍ବରଙ୍କ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି ।