ଶିଆଳିଲଟି ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶିଆଳିଲଟି ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଓ ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ମିଳିତ ଜନଶୁଣାଣୀ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ୭୬ଟି ବ୍ୟକ୍ତିଗତ ଏବଂ ୪୩ଟି ଗୋଷ୍ଠୀଗତ ଅଭିଯୋଗର ବିଚାରକୁ ନେଇ ଜନଶୁଣାଣୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ରଗଡ ପଞ୍ଚାୟତର ରଣାଲଇ ଗ୍ରାମର ଜଣେ ଗରୀବ ପରିବାରର ପୁଅ ଡାକ୍ତରୀ ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଥିବାରୁ, ଦିପୁ ନାୟକ ଓ ତାଙ୍କ ମାଆଙ୍କୁ ସମ୍ମାନିତ କରିଥିଲେ ଜିଲ୍ଲାପାଳ ଓ ମଞ୍ଚାସୀନ ଅତିଥୀ । ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ବିଲ୍ ଚେୟାର୍, ଚାରି ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା, ଜଣଙ୍କୁ ମୁଖ୍ୟମନ୍ତ୍ରୀ ସୁମଙ୍ଗଳ ଯୋଜନା ସହାୟତା ରାଶି ଏବଂ ୪୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଆରଡିଏ ଏପିଡି ପୃଥ୍ବୀରାଜ ମଣ୍ଡଳ, ବିଡିଓ ଲରିମନ ଖର୍ସଲ, ତହସିଲଦାର ଜ୍ୟୋତିର୍ମୟ ଦାଶ, ଏସଡିପିଓ ଅଶ୍ବିନୀ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ପାଇକ, ପିଇଓ ବିଶ୍ବଜିତ ଲିମ୍ମା ତଥା ଅଞ୍ଚଳର ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ । ତେବେ ଆଜିର ଏ ଜିଲ୍ଲାପାଳଙ୍କ ଜନଶୁଣାଣୀ ସମୟରେ ରା.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ରାମଗିରିକୁ ଆଦର୍ଶ ଗ୍ରାମର ମାନ୍ୟତା ଲାଗି ଦାବିକରିଥିବା ଦେଖିବାକୁ ମିଳିଥିଲା । ଏଇ କାର୍ଯ୍ୟକ୍ରମ ଅବସରରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଅଞ୍ଚଳର ୫୦୦ରୁ ଉର୍ଦ୍ଧ ଜନସାଧାରଣ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।