ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ କଣ’ ଗ୍ରାମରେ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି । ଗ୍ରାମରେ ଥିବା ବହୁ ପୁରାତନ ମାଆ ଦୂର୍ଗା’ଙ୍କ ମନ୍ଦିରରେ ଦଶହରା ପର୍ବ ଅବସରରେ ଦୀର୍ଘ ୧୬’ ଦିନ ପୂଜାପାଠ କରି ନବରାତ୍ରୀ ଏବଂ ଦଶହରା ପୂଜା କାର୍ଯ୍ୟ ସମ୍ପନ୍ନ ପରେ ବିଜୟା ଦଶମୀର ପରଦିନ ୧୭’ତମ ଦିବସରେ ଏହି ଖନ୍ଦା ମଡା ବା ନିଆଁରେ ଚାଲିବା ପର୍ବ ପାଳିତ ହୋଇଥାଏ । ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଛି । ନିଃସନ୍ତାନ ଦମ୍ପତ୍ତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟାରୁ ମୁକୁଳିବାକୁ ମାଆଙ୍କ ନିକଟରେ ବିଭିନ୍ନ ଲୋକେ ମାନସିକ ରଖିଥାନ୍ତି । ମାଆଙ୍କ ଉପରେ ପ୍ରଗାଢ ବିଶ୍ବାସ ଅନୁସାରେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ନେଇ ପ୍ରକାଶ କରିଥାନ୍ତି ସାଧାରଣ ଲୋକେ । ଏହି ମନ୍ଦିରରେ ମାଆ ଦୂର୍ଗା’ଙ୍କ କୌଣସି ପ୍ରତିମୂର୍ତ୍ତି ପୂଜା ପାଇ ନଥାଏ l ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝଟି ଦ୍ବାରା ଅଙ୍କିତ ବୁଇଥ ଚିତ୍ରରେ ମାଆ ଦୂର୍ଗା ପୂଜା ପାଇଥାନ୍ତି । ତେବେ ପ୍ରତ୍ୟକ ବର୍ଷ ବିଧି ବିଧାନର ସହିତ ପୂଜାପାଠ ଏବଂ ନିତି କାର୍ଯ୍ୟ ସମ୍ପନ୍ନ ହେଉଥିବା ବେଳେ ମନ୍ଦିର ପୂଜକ (ଦେହୁରୀ)ଙ୍କ ସହିତ ଭକ୍ତା ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବା ବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ । ପାରମ୍ପାରିକ ବାଦ୍ୟର ତାଳରେ ଭକ୍ତମାନେ ମାଆ’ଙ୍କ କାଳିସି ପ୍ରଭାବରେ ନୃତ୍ୟ କରୁଥିବା ବେଳେ ଚାବୁକ ମାଡରେ ଶାନ୍ତ ହେବା, କଳି ଗଛ ଡାଳର କଣ୍ଟା ଉପରେ ଗଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଶେଷରେ ଅପରାହ୍ନ ସମୟରେ ଭକ୍ତାମାନେ ଅଙ୍ଗାର ଉପରେ ଚାଲି ପୂଜାବିଧି ସମ୍ପନ୍ନ କରିଥାନ୍ତି l ଦେହୁରୀ ଘାଷିରାମ ଦଳେଇ ଏବଂ ଗାୟକ କୁଲଦୀପ ମହାକୁଡ’ଙ୍କ ପୌରହିତ୍ୟରେ ସମସ୍ତ ପୂଜା କାର୍ଯ୍ୟ ରୀତିନିତୀ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଦାସୀ ବ୍ରହ୍ମାନନ୍ଦ ମହାକୁଡ, ମଧୁସୂଦନ ଦାସ,ପରିକ୍ଷିତ ବାରିକ, ପ୍ରହରାଜ ପଲେଇ, ମଣ୍ଟୁ ଦାସ, ଉପେନ୍ଦ୍ର ବେହେରା ଏବଂ ମୁକେଶ ମହାକୁଡ ପ୍ରମୁଖ ପୂଜାବିଧିରେ ସହଯୋଗ ପ୍ରଦାନ କରିଥିଲେ । ଏହି ଖନ୍ଦାମଡା ଉତ୍ସବରେ ପହଞ୍ଚିଥିବା ଦର୍ଶକ ଓ ଭକ୍ତଙ୍କୁ ଓଡ଼ିଶା ନାରୀ ଶକ୍ତି ଓ ସମାଜ ସେବା ଟ୍ରଷ୍ଟ ତରଫରୁ ସହସ୍ରାଧିକ ଲୋକଙ୍କୁ ଥଣ୍ଡା ସର୍ବତ ବଣ୍ଟନ କରିଥିଲେ । ଗ୍ରାମ ପୂଜା କମିଟିର ସମ୍ପୂର୍ଣ ସହଯୋଗରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ଛବିଲତା ବାରିକ୍, ଉପସଭାପତି ମିନତି ରାଉତ, କାର୍ଯ୍ୟକାରୀ ସମ୍ପାଦିକା ତଥା କଷାଧ୍ୟକ୍ଷା ଅଞ୍ଜନା ମହାନ୍ତ, ମମତା ବେହେରା, ସରସ୍ବତୀ ବାରିକ ପ୍ରମୁଖ ସର୍ବତ କରିଥିଲେ । ଏହି ଖନ୍ଦାମଡା ଉତ୍ସବ ମାଆ ଦୂର୍ଗା ପୂଜା ସମିତିର ସଭାପତି କିଶୋରି ମହାକୁଡ ଓ ସଂପାଦକ ରାଜାରାମ ବାରିକ ପ୍ରମୁଖ’ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ବିଶ୍ବନାଥ ଦାସ, ପିଣ୍ଟୁ ଦାସ, ଆସ୍ତିକ ବାରିକ ଓ ସୁଧନ୍ୟା ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।