ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଜଣେ ୫ବର୍ଷର ଶିଶୁପୁତ୍ର ଅପହରଣର ଶିକାର ହୋଇଛନ୍ତି । ତାଙ୍କୁ ୧୩ ଦିନ ତଳେ ଅପହରଣ କରାଯାଇ ହାଇଦ୍ରାବାଦରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା। କୋମନା ପୁଲିସ ଶୁକ୍ରବାର ହାଇଦ୍ରାବାଦରୁ ଉକ୍ତ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ତାଙ୍କ ଅପହରଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ପଦ୍ମିନୀ ମାଝି ଓ ତାଙ୍କ ପ୍ରେମିକ ଦୁର୍ଯ୍ୟୋଧନ ବରିହା (୩୦)। ଏସମ୍ପର୍କରେ କୋମନା ଥାନା ଆଇଆଇସି ସୁମନ୍ତ ନାୟକ ଥାନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁଯାୟୀ, କୋମନା ଥାନା ଲୋହୋଣ୍ଡୋପାଲି ଗାଁର ହରି ବେମାଲ (୬୫) ତାଙ୍କ ସେବା ଶୁଶ୍ରୂଷା ପାଇଁ କୋମନା ୱାନ୍ଷ୍ଟପ ସେଣ୍ଟରରୁ ପଦ୍ମିନୀ ମାଝୀଙ୍କୁ ଆଣି ଘରେ ରଖିଥିଲେ । ସେପ୍ଟେମ୍ବର ୨୯ରେ ହରିଙ୍କୁ କେତେକ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ କିଣି ଆଣିବାକୁ ପଦ୍ମିନୀ କହିଥିଲେ । ତଦନୁଯାୟୀ ହରିଙ୍କ ସାନଭାଇ ଅର୍ଜୁନ ବେମାଲଙ୍କ ସହ ପଦ୍ମିନୀ ଓ ଅର୍ଜୁନଙ୍କ ପୁଅ ହୃଦାଶନ (୫)ମିଶି ବଲାଙ୍ଗୀର ଜିଲ୍ଲାର ଲାଠୋର ସାପ୍ତାହିକ ହାଟକୁ ଯାଇଥିଲେ । ହାଟରେ ଅର୍ଜୁନ ସାମଗ୍ରୀ କିଣିବାରେ ବ୍ୟସ୍ତ ଥିବା ସମୟରେ ପଦ୍ମିନୀ ହୃଦାଶନଙ୍କୁ ଧରି କୁଆଡ଼େ ଚାଲିଯାଇଥିଲେ । ହାଟ ସାରି ଅର୍ଜୁନ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ । ପଦ୍ମିନୀ ଫୋନ ସୁଇଚ୍ ଅଫ୍ କରିଦେବାରୁ ଅର୍ଜୁନ ନିରୁପାୟ ହୋଇ ଘରକୁ ଫେରିଆସିଥିଲେ । ଗତ ୩୦ ତାରିଖରେ ସେ ଏ ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା (ନଂ୨୪୧/୨୪) ରୁଜୁକରି ତଦନ୍ତ ଜାରି ରଖିଥିଲା । ପୁଲିସ ପଦ୍ମିନୀଙ୍କ ମୋବାଇଲ ଟ୍ରାକିଂ କରି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ନିକଟ ରାଜକୋଣ୍ଡା ଅଞ୍ଚଳରେ ଥିବା ଜାଣିବାକୁ ପାଇଲା । ନୂଆପଡ଼ା ଏସ୍ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ କୋମନା ଥାନା ଏସ୍ଆଇ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଶୁକ୍ରବାର ରାଜକୋଣ୍ଡା ଯାଇ ସେଠାକାର ପୁଲିସ ସହାୟତାରେ ଅପହରଣକାରୀ ପଦ୍ମିନୀ ମାଝୀ ଓ ଅପହୃତ ଶିଶୁପୁତ୍ର ହୃଦାଶନଙ୍କୁ ଠାବ କରିଥିଲା । ପ୍ରେମିକ ଦୁର୍ଯ୍ୟୋଧନ ବରିହା (୩୦)ଙ୍କ ସହ ମିଶି ହୃଦାଶନଙ୍କୁ ଅପହରଣ କରିଥିବା ପଦ୍ମିନୀ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏହାସହ ସେମାନେ ଶିଶୁକୁ ଭିକ୍ଷାବୃଭିରେ ଲଗାଇ ଯାହା ଅର୍ଥ ମିଳୁଥିଲା ସେଥିରେ ଚଳୁଥିଲେ ବୋଲି ଆଇଆଇସି ନାୟକ ସୂଚନା ଦେଇଛନ୍ତି I