ଦାଦନ ଖଟିବାକୁ ଯାଇ ଅକାଳ ମୃତ୍ୟୁର ଶିକାର ହେଲେ ଅର୍ଚ୍ଚନା….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି । ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି । ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ ବାଘପଦା ସାହିର ଜଣେ ଯୁବତୀ ଅର୍ଚ୍ଚନା ପାଟମାଝି ଗୋଆ ରାଜ୍ୟକୁ ଯାଇ କାମଧନ୍ଦା ଅନ୍ମେଷଣ କରି ଗୋଟିଏ ଘରୋଇ କାମରେ ଯୋଗ ଦେବାର ଦୁଇ ଦିନ ପରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଙ୍ଗଳ ବାର ଦିନ ଗୋଆର ବାମ୍ୱଲିମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅର୍ଚ୍ଚନାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷେ ଅର୍ଚ୍ଚନାଙ୍କ ମୃତଦେହ ଗାଁକୁ ଫେରାଇ ଆଣିବାକୁ ଝିଞ୍ଜିରୀଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ଶୁକ୍ରବାର କନ୍ଧମାଳ ଜିଲାପାଳ ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ଚିଠି ମାଧ୍ୟମରେ ନିବେଦନ କରିବା ପରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ଜରୀଆରେ ଯୋଗାଯୋଗ କରି ଉକ୍ତ ଶବ ଆଣିବା ବ୍ୟବସ୍ଥା କରାଯାଉ ଥିବା ନେଇ ସରପଞ୍ଚ ଶ୍ରୀମତୀ ପ୍ରଧାନ କହିଛନ୍ତି ।