ଦାରିଙ୍ଗବାଡି(ଆଶୋକ ସିଂ): ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ବସୁଧା ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରି ଏକ ଘଟଣା ସାମ୍ନା କୁ ଆସିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହା ଗ୍ରାମରୁ । ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିବା ବେଳେ ଏହାର କାର୍ଯ୍ଯ ଅତି ନିମ୍ମ ମାନର ହୋଇ ଥିବାରୁ ଜଳ ଯୋଗାଣରେ ବାରମ୍ବାର ବ୍ୟାଘାତ ହେଉଥିବା ଗ୍ରାମବାସୀ ମାନେ କହିଛନ୍ତି । ଏହି ଗ୍ରାମରେ ପ୍ରାୟ ୪ ଶହ ପରିବାର ବସବାସ କରୁଥିବା ବେଳେ ୯୫ପ୍ରତିଶତ ଲୋକ ଦିନ ମଜୁରିଆ ଭାବେ କାମ କରନ୍ତି l ଗ୍ରାମରେ ପାଇପ ଯୋଗେ ଜଳ ଯୋଗଣ ବନ୍ଦ ହେବା ଯୋଗୁ ଅଞ୍ଚଳ ବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଗାଁ ନିକଟ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା କହିଛନ୍ତିନ । କିଛି ଲୋକ ଚୁଆ ଓ ପୋଖରୀ ଜଳ ବ୍ୟବହାର କରି ବିଭିନ୍ନ ଭୁତାଣୁ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି ବୋଲି ଗ୍ରାମର ସୁଶୀଲ ନାୟକଙ୍କ ସମେତ ଅନ୍ୟମାନେ କହିଛନ୍ତି । ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରୀ ଯନ୍ତ୍ରୀଙ୍କୁ ଫୋନ କଲେ କେହି ଫୋନ ଉଠାଉ ନଥିବା ବେଳେ ଟୋଲ ଫ୍ରି ନମ୍ବର ୧୯୧୬କୁ ଫୋନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।