ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଗାଡି ଭଡା ସୁତ୍ରରେ ଲଗାଇବା ଲାଗି ହୋଇଥିବା ଟେଣ୍ଡରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଜଣେ ପ୍ରଭାବଶାଳୀ ଜନପ୍ରତିନିଧିଙ୍କ ମାଲିକାନାରେ ଥିବା ଗାଡି ଲଗାଇବା ପାଇଁ ଚଞ୍ଚକତା କରାଯାଇଥିବା ଅନ୍ୟ ଗାଡି ମାଲିକମାନେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ତପନ କୁମାର ପ୍ରଧାନ ବୁଧବାର ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟାଳୟରେ ଭଡାରେ ଗାଡି ଲଗାଇବା ପାଇଁ ଗତ ସେପ୍ଟେମ୍ବର ୧୦ରେ ଚିଠି ନମ୍ବର ୭୬୨ ପ୍ରକାରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା l ହେଲେ ନିର୍ଦ୍ଧାରିତ ଦିନ ଟେଣ୍ଡର ଘୋଷଣା କରିବା ପାଇଁ ଗାଡି ମାଲିକମାନେ ଉପସ୍ଥିତ ରହିଥିଲେ । ହେଲେ ଏହି ତାରିଖକୁ ବାତିଲ କରାଯାଇଥିଲା l ଏହି ଟେଣ୍ଡରକୁ କେବେ ଖୋଲାଯିବ ଘୋଷଣା ହୋଇନଥିଲା l କାହିଁକି ବାରମ୍ବାର ତାରିଖ ଘୁଞ୍ଚା ଯାଉଛି ବୋଲି ଗାଡି ମାଲିକଙ୍କ ମନରେ ପ୍ରଶ୍ନ ଉଙ୍କିମାରିଥିଲା । ପରେ ଟେଣ୍ଡର ଘୋଷଣାର ଫଳାଫଳ ପ୍ରକାଶ ପାଇବା ପରେ ବାଦ୍ ପଡିଥିବା ଗାଡି ମାଲିକଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଥିଲା । ବୁଧବାର ତପନ ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚଞ୍ଚକତା କରି ଟେଣ୍ଡର ଜାଲିଆତି କରିଥିବା ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି । ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଛନ୍ତି ।