ଦୁଇ କିନ୍ନର ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ନୂଆପଡ଼ା(ବିରବଲ ପ୍ରଧାନ): ଘର ଉପରେ ଓ ପରିବାର ଉପରେ ଅଶୁଭ ଦୃଷ୍ଟି ପଡ଼ିଛି l ପ୍ରତିକାର କଲେ ଶୁଭ ଫଳ ମିଳିବ ବୋଲି କହି ଦୁଇଜଣ କିନ୍ନର ଲକ୍ଷାଧିକ ଟଙ୍କାର ସୁନା ଚେନ୍‌ ଲୁଟି ନେଇ ଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ତୁକଲା ଗାଁରେ ଏପରି ଏକ ଘଟଣା ଘଟିଛି । ତୁକଲାର ବ୍ୟବସାୟୀ ରାଜ କୁମାର ଖେମକାଙ୍କ ଘରକୁ ଦୁଇଜଣ କିନ୍ନର ଓଡ଼ି୦୮-ଆର୍‌-୫୨୮୪ନଂ କାର୍‌ରେ ଆସିଥିଲେ । ସେମାନେ ମହିଳାଙ୍କୁ ଭିକ୍ଷା ମାଗିବାରୁ ଭିକ୍ଷା ଦେଇଥିଲେ। ପରେ କିନ୍ନରମାନେ ତୁମ ପରିବାର ପ୍ରତି ଅଶୁଭ ଦୃଷ୍ଟି ଥିବାରୁ ଅଶୁଭ ହେଉଛି l ଏହାର ପ୍ରତିକାର ନ କଲେ ଅସୁବିଧା ହେବ ବୋଲି କହିଥିଲେ । ପରିବାରର ମହିଳାମାନେ ତାଙ୍କ କଥାକୁ ବିଶ୍ୱାସ କରି ପ୍ରତିକାର ପାଇଁ ରାଜି ହୋଇଥିଲେ । କିନ୍ନରମାନେ ଗୋଟିଏ ଗଡୁରେ ପାଣି ମାଗିବା ସହ ଖେମକାଙ୍କ ବୋହୂ ପିନ୍ଧିଥିବା ସୁନା ଚେନ ପାଇଁ ଅଶୁଭ ଘଟୁଛି ଓ ଏହାକୁ ଶୁଦ୍ଧ କରିବାକୁ କହି ଚେନ୍‌କୁ ଛିଣ୍ଡାଇ କାରରେ ଫେରାର ମାରିଥିଲେ । ମହିଳାମାନଙ୍କ ଚିତ୍କାର ଶୁଣି ଘରର ଅନ୍ୟମାନେ ପହଂଚି ଥିଲେ ମଧ୍ୟ ସେମାନଙ୍କୁ ପାଇ ନ ଥିଲେ । ସନ୍ଧ୍ୟାରେ ବ୍ୟବସାୟୀ ଖେମକା ଖଡ଼ିଆଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।