ରାମଗିରିରେ ମାଁ କୁରେଇଶୁଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ….

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଠାରେ ଅବସ୍ଥିତ ପ୍ରସିଦ୍ଧ ମାଁ କୁରେଇଶୁଣୀଙ୍କର ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଏହି ଯାତ୍ରା ବାରଦିନ ଧରି ହେବାକୁ ଥିବା ବେଳେ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଅଶ୍ବୀନ କୃଷ୍ଣପକ୍ଷ ତୃତୀୟାରୁ ତଥା ଗତ ସେପ୍ଟେମ୍ବର ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏଯାତ୍ରା ଆସନ୍ତା ଆଶ୍ବୀନ ଶୁକ୍ଲପକ୍ଷ ଦ୍ବିତୀୟା ଅକ୍ଟୋବର ୪ ତାରିଖରେ ସମାପ୍ତି ହେବ । ପ୍ରଥା ଅନୁଯାୟୀ, ପ୍ରଥମେ ମନ୍ଦିରରେ ନୂଆଖାଇ ପର୍ବ ପାଳନ ହେବା ପରେ ଅଞ୍ଚଳର ଲୋକମାନେ କମଳା, ବତେଇ, ନାରଙ୍ଗୀ, କନ୍ଧମୂଳ ଓ ବନ୍ୟଜାତ ଜିନିଷ ଗୁଡିକୁ ବ୍ୟବହାର କରନ୍ତି l ପରେ ପରମ୍ପରା ଅନୁଯାଇ ଦୁଇଟି ନୂଆ ତାଟରେ ବେଜୁ (ଯାହାଙ୍କ ଦେହରେ ମାଁ ବିଜେ ହୁଅନ୍ତି )ନଦୀରୁ ବାଲି ଆଣିବା ପରେ ଯାତ୍ରା ଆରମ୍ଭ ହୋଇଥାଏ l ତେବେ ଆଜି ସେ ଯାତ୍ରା ପଞ୍ଚମଦିନରେ ପହଞ୍ଚିଛି । ପଞ୍ଚମୀ ଦିନର ମୁଖ୍ୟ ଅଲୌକିକ କାର୍ଯ୍ୟକ୍ରମ ହେଲା l ପୂର୍ବ ଦିନ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ବେଜୁ ପୂଜାରୀ ବାହୁକ କଞ୍ଚା ମୁଗ ଶସ୍ୟକୁ ମାଗି ନେଇ ଆଣନ୍ତି । ପଞ୍ଚମୀ ଦିନ ରାତିରେ ବେଜୁଙ୍କ ଦେହରେ ମାଁ ବିଜେ ହେଲାପରେ ପୂଜାର୍ଚନା ସାରି କାଠ ଚୁଲିରେ ମାଟି ହାଣ୍ଡି ବସେଇ ସେଥିରେ କଞ୍ଚା ମୁଗ ପକାଇ ବେଜୁ ନିଜ ହାତରେ ଭାଜି ଥାନ୍ତି ଓ ସମ୍ପୂର୍ଣ୍ଣ ରୂପେ ବିରି ଭଜା ହେଲା ପରେ ପ୍ରଥମ ଦିନରେ ଅଣାଯାଇଥିବା ବାଲି ତାଟରେ ପକାଯାଏ । ତାହା ପରବର୍ତ୍ତୀ ସମୟରେ ଗଜା ହୋଇଥାଏ l ସପ୍ତାହ ପରେ ମାଁଙ୍କ ବଡ ଉପବାସ ପର୍ବ ପାଳନ ହେବ। ଏହି ଦିନ ବେଜୁ ଗାଜିଆ କଣ୍ଟା ପିଢା ଉପରେ ବସି ନିଃସନ୍ତାନ ଥିବା ସ୍ତ୍ରୀ ଲୋକମାନଙ୍କୁ ଫଳ ଦେଇଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ତହିଁ ପରଦିନ ଅର୍ଥାତ କାର୍ଯ୍ୟକ୍ରମର ଶେଷ ଦିନ ଲୁହା କଣ୍ଟାରେ ନିର୍ମିତ ଦୋଳି ଉପରେ ବସି ଦୋଳି ଖେଳିବା ସହିତ ମୁଠି ଚାଉଳ ଦେଖିବା କାର୍ଯ୍ୟକ୍ରମ ହୋଇଥାଏ । ପରେ ଦୋଳିରୁ ଓହ୍ଲାଇ ପୂର୍ବରୁ ବହୁପରିମାଣରେ କାଠ ଜାଳି କୁଢ଼ କୁଢ଼ ନିଆଁକୁ ପ୍ରସ୍ତୁତ କରି ରଖିଥିବା ନିଆଁ ଉପରେ ଚାଲି ଥାନ୍ତି ମାଁ ଓ ପରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ନିଆଁରେ ଚାଲିବାକୁ ସୁଯୋଗ ମିଳିଥାଏ l ଏହି ଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାମଗିରି ଓ ଆଖପାଖ ଅଞ୍ଚଳ ।