କୋକସରା(ତ୍ରିଲୋକ୍ୟ ବେଶ୍ରା): ଗାଁକୁ ପୁଣି ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶବ । ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଓ ପିଲାଛୁଆ l ଗାଁରେ ଖେଳି ଯାଇଛି ଶୋକାକୁଳ ପରିବେଶ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବିଗତ କିଛି ମାସ ମଧ୍ୟରେ ୫/୬ ଜଣ ଦାଦନଙ୍କ ଶବ ଭିଟାମାଟିକୁ ଫେରିଥିବା ବେଳେ ପୁଣି ଏକ ଅଙ୍କ ଯୋଡି ହୋଇଛି । କୋକସରା ବ୍ଲକ ଆମପାଣି ଥାନା ଡୁଡ଼ୁକାଠେଙ୍ଗା ପଞ୍ଚାୟତ ଖଳୀଗଡ ନୂଆପଡାର ଯୋଗୀ ଧଙ୍ଗଡାମାଝୀ (୫୭) ଗତ ତିନି ମାସ ତଳେ ଦାଦନ ଖଟିବାକୁ ବାଙ୍ଗାଲୋରର କାଳକେରି ମଞ୍ଝୁଲା ନଗର ଠାରେ କାମ କରିବାକୁ ଯାଇଥିଲେ । ସେଠାରେ କୌଣସି ଏକ ଘରୋଇ ଠିକା ସଂସ୍ଥାରେ ନିୟୋଜିତ ଥିଲେ । ତେବେ ଗତକାଲି ଅପରାହ୍ନରେ ଜ୍ୱର ଓ ଛାତି ଯନ୍ତ୍ରଣା ହେବାରୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଯାଇ ଚିକିତ୍ସିତ ହୋଇଥିଲେ । ସୁସ୍ଥ ହେବାପରେ ନିଜ ରହୁଥିବା ସ୍ଥାନକୁ ଫେରିଥିବା ବେଳେ ପୁଣି ଛାତି ଯନ୍ତ୍ରଣା ହେବାରୁ ନିଜ ବସାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ଠିକା ସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବକୁ ଗାଁକୁ ପଠାଇଥିବା ବେଳେ ଗୁରୁବାର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ମୃତ ଶ୍ରମିକଙ୍କ ଶବକୁ ଗାଁ ମଶାଣିରେ ଦାହ କରାଯାଇଛି । ତେବେ ଗତ ଦୁଇ ତିନି ମାସ ମଧ୍ୟରେ କୋକସରା ବ୍ଲକରେ ବାରମ୍ୱାର ଦାଦନ ଶ୍ରମିକଙ୍କ ମୃତ ଶରୀର ଫେରୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଘଟଣାକୁ ଗୁରୁତ୍ୱ ଦେଇ ଦାଦନ ଚାଲାଣ ରୋକିବା ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।