ମିଶନଶକ୍ତି କର୍ମୀଙ୍କୁ ଛଅମାସ ହେଲା ମିଳିନି ପାରିଶ୍ରମିକ: ୨୫ରୁ କାର୍ଯ୍ୟବନ୍ଦ ଚେତାବନୀ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ….
ସିନାପାଲି(ପରମେଶ୍ୱର ମେହେର): ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ମିଶନଶକ୍ତି ଅଧୀନରେ କାର୍ଯ୍ୟରତ କର୍ମୀମାନଙ୍କୁ ଆଜକୁ ଛଅ ମାସ ହେଲା ପାରିଶ୍ରମିକ ମିଳିନଥିବା ଜଣାପଡିଛି । ଏନେଇ ମିଶନ ଶକ୍ତିରେ କାର୍ଯ୍ୟରତ ପାଞ୍ଚ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏମବିକେ , ବ୍ୟାଙ୍କ ମିତ୍ର, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୃଣମୂଳ ସ୍ତରରୁ ସକ୍ରିୟ ଭାବେ ନିୟମିତ କାର୍ଯ୍ୟ ତୁଲାଉ ଆସୁଥିବା ବେଳେ ଆଜକୁ ଛଅମାସ ହେଲା ସେମାନେ ପାରିଶ୍ରମିକ ପାଇନାହାନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନ ଜୀବିକରେ ବହୁ ଅସୁବିଧା ପରିଲକ୍ଷିତ ହେଉଥିବା ପ୍ରକାଶ କରିଛନ୍ତି । ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀ ତଥା ମନ୍ତ୍ରୀ ମହୋଦୟାଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ସୁଫଳ ମିଳି ନଥିବା ପ୍ରକାଶ କରିଛନ୍ତି । ଏଣୁ ଚଳିତ ମାସ ୨୫ ତାରିଖ ଦିନ ଠାରୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଏନେଇ ସିନାପାଲି ବିଡ଼ିଓଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତତସହିତ ଓଏଲଏମ ବିପିଏମ, ବିପିସି, ସିଡ଼ିପିଓ, ଜିଲ୍ଲାପାଳ ନୂଆପଡା, ପିଡ଼ି , ଡିପିଏମ, ଡିପିସି, ଓଏଲଏମ, ସିଇଓ ମିଶନ ଶକ୍ତି, ମିଶନ ଶକ୍ତି କମିଶନର, ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିବା ଜଣାପଡିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସିନାପାଲି ବ୍ଲକ ସଭାନେତ୍ରୀ ବୀଣାପାଣି ବାରିକ ଓ ସମ୍ପାଦିକା ଖୀରମତି ରାଉତଙ୍କ ସମେତ ସିନାପାଲି ବ୍ଲକ ଅନ୍ତର୍ଗତ ୨୭ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।