ଦାରିଙ୍ଗବାଡି(ଅଶୋକ ସିଂ): ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଗଦାପୁର ଠାରେ ବାଲିଯାତ୍ରା ବା କଣ୍ଟାପୀଡା ଯାତ୍ରା ପାଳନ କରାଯାଇଛି । ଗତ ୧୨ ଦିନ ଧରି ଚାଲିଥିବା ଏହି ଯାତ୍ରା ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି । ବିଶ୍ୱାସ ରହିଛି ବାଲିଯାତ୍ରା ହେଲେ ଶୀତ ଆସେ, ଆଉ ବାଲିଯାତ୍ରା ସମୟରେ ବର୍ଷା ହୁଏ, ଚାଷ ବାସ ଭଲ ହୁଏ । ଏହା ଆଜି କି କାଲି ନୁହେଁ, ପିଢ଼ି ପିଢ଼ି ଧରି ବିଶ୍ୱାସ ରହି ଆସିଛି । ଆତ୍ମ ବିଶ୍ୱାସ ଓ ଆସ୍ଥା ପ୍ରକଟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି । ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ କରିଥାନ୍ତି । ଅଗ୍ନିରେ ଚାଲିବା ସମୟରେ ମା’ ମାଣିକେଶ୍ବରୀଙ୍କ ଆର୍ଶିବାଦ ମିଳିବା ସହ ଭୟ ନ ଥାଏ ବୋଲି ଶ୍ରଦ୍ଧାଳୁ କହିଛନ୍ତ । ପ୍ରବଳ ବର୍ଷାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ବର୍ଷା ଯେତେ ପ୍ରବଳ ହେଉଥିଲା ଭକ୍ତଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉଥିଲା ସମସ୍ତଙ୍କ ମନରେ ଆନନ୍ଦ ଦେଖାଯାଇଥିଲା । ପ୍ରତିବର୍ଷ ନୁଆଁଖାଇ ସରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ । ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି ଯେ, ଏଠାରୁ ବାଲି ଯିବା ପରେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଦଶହରା ପର୍ବ ପାଳନ ହୋଇଥାଏ । ଏହି ଅବସରରେ ମୁଖ୍ୟ ଆକର୍ଷଣ ଠାକୁରଙ୍କୁ ନେଇ ଭକ୍ତ କଣ୍ଟା ପିଢାରେ ଝୁଲିବା ସହ ଅଗ୍ନିରେ ଶ୍ରଦ୍ଧାଳୁମାନେ ଚାଲିଥାନ୍ତି । ଏହାକୁ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ ପୂଜାର୍ଚ୍ଚନା କରିଥିଲେ । ବାଲିଯାତ୍ରା କାର୍ଯକ୍ରମ ରାଜା କ୍ଷୀରୋଦ କୁମାର ସିଂହ ଦେଓ ନେତୃତ୍ବ ଆୟୋଜିତ କରାଯାଇ ଥିବା ବେଳେ ଗ୍ରାମର ଯୁବସଙ୍ଘର କର୍ମକର୍ତ୍ତାମାନେ ପରିଚାଳନା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ ।