ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଡୁମ୍ବାଡ଼ା ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ସମସ୍ୟା ସମାଧାନ କରିଛନ୍ତି ଗାଆଁ ଲୋକେ । ଆଦିବାସୀଙ୍କ ପାଇଁ ତଥା ପାନୀୟ ଜଳର ସମସ୍ୟା ସମାଧାନ ପାଇଁ ଅନେକ ଅର୍ଥ ବରାଦ ହେଉଥିବା ବେଳେ ତାହା ଯେ ଅନେକ ସମୟରେ ସେମାନଙ୍କ ପାଖରେ ପହଞ୍ଚି ପାରୁନି ତାହାର ଉଦାହରଣ ଦେଖିବାକୁ ମିଳିଛି ଡୁମ୍ବାଡ଼ା ଗ୍ରାମରେ । ପ୍ରଶାସନ ଗ୍ରାମବାସୀମାନଙ୍କ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଗ୍ରାମବାସୀ ଗାଁରେ ପ୍ରତି ଘରୁ କିଛି କିଛି ଟଙ୍କା ଆଦାୟ କରି ଗୋଟିଏ ନଳକୂପରେ ନିଜସ୍ୱ ଅର୍ଥରେ ପାଣି ମଟର ଲଗାଇଛନ୍ତି | ଡୁମ୍ବାଡ଼ା ଗ୍ରାମ ଗୁମ୍ମା ବ୍ଲକ ତଥା ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ତଥା ପୂରା ପାହାଡ଼ ଶିଖରରେ ଅବସ୍ଥିତ ସେଥି ସକାଶୁ ସେଠାରେ ପାନୀୟ ଜଳର ଘୋର ସଙ୍କଟ ଦେଖାଯାଏ | ତେଣୁ ସରକାର ସେଠାରେ ଏକ ସୌର ଚାଳିତ ପମ୍ପ ଲଗାଇଥିଲେ | ତାହା ମଧ୍ୟ ଅଚଳା ଅବସ୍ଥାରେ ପଡ଼ି ରହିଛି | ଦୀର୍ଘ ଚାରି ବର୍ଷ ତଳେ ଡୁମ୍ବାଡ଼ା ଗ୍ରାମରେ ଏକ ନଳକୂପ ଖୋଳାଯାଇଥିଲା | ଏଥିରେ ମଟର ସଂଯୋଗ କରି ଗ୍ରାମରେ ପାନୀୟ ଜଳ ଯୋଗାଇବା ନିମନ୍ତେ ବିଭାଗିୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାହା କୌଣସି ଅଧିକାରୀ ଶୁଣିନଥିଲେ | ଫଳରେ ଗ୍ରାମ ବାସୀ ନିଜସ୍ୱ ଅର୍ଥରେ ଏକ ନୂଆ ମଟର କିଣି ସେହି ବୋରରେ ସଂଯୋଗ କରି ପାନିୟ ଜଳ ବ୍ୟବହାର କରୁଛୁ ବୋଲି ଡୁମ୍ବାଡ଼ା ଗ୍ରାମର ଆପଲ ଗମାଙ୍ଗ, ଭୀମ ଗମାଙ୍ଗ, ମିଟୁ ଦଳବେହେରା ଓ ସୁନିତା ଗମାଙ୍ଗ ପ୍ରକାଶ କରିଛନ୍ତି ।