ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚକ ଭାବେ ପରିଚିତ ଥିବା ବେଳେ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ l ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ ଯେଉଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ । ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତ ଗଠିତ ହୋଇଥିବା ବେଳେ ଏହାର ଜନ ସଂଖ୍ୟା ଦୃଷ୍ଟିରୁ ପ୍ରାୟ ୫୦୦୦ ରୁ ଅଧିକ ଲୋକ ବସବାସ କରନ୍ତି । ଏକାଧିକ ଗ୍ରାମକୁ ଆଜ ପର୍ଯ୍ୟନ୍ତ ସଡ଼କ ସଂଯୋଗ ହୋଇ ନଥିବା ବେଳେ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ ଭଲ ରାସ୍ତା ଟିଏ ନାହିଁ l ଝିଞ୍ଜିରି ଗୁଡ଼ା ଠାରୁ କାଟିଙ୍ଗିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଗୋବରକୁଟି ଛକରୁ ପ୍ରାୟ ଦୁଇ କିମି ଭିତରକୁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ବେଳେ ସେହି ଦୁଇ କିମି ରାସ୍ତାର ଅବସ୍ଥା ଅତି ସୋଚନୀୟ ହୋଇ ପଡିଛି । ରାସ୍ତା ସାରା ଖାଲ ଖମା ହୋଇ ବର୍ଷା ହେଲେ ପାଣି କାଦୁଅରେ ପଚ ପଚ ହେଉଛି l ସେହି ରାସ୍ତାରେ ଚାଲି ଚାଲି ଯିବା ବି ମୁସ୍କିଲ ହୋଇ ପଡ଼ିଛି । ବର୍ଷା ହେଲେ କାଦୁଅ ଭରା ରାସ୍ତା ଦେଇ ଗର୍ଭବତୀ ଓ ରୋଗୀମାନଙ୍କୁ ରାତି ଅଧରେ ଜରୁରୀ କାଳୀନ ସେବା ପାଇଁ ସମ୍ପର୍କୀୟମାନେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଦୈନନ୍ଦିନ ଏହି ରାସ୍ତା ଦେଇ ସ୍କୁଲ କଲେଜ ପିଲା ଯିବା ଆସିବା କରନ୍ତି । ରାସ୍ତାର ମଝିରେ ଖାଲ ଢିପ ଥିବା ବେଳେ ଅଧିକାଂଶ ଜାଗାରେ ପିଚୁ ସବୁ ବାହାରି କାଦୁଅ ସର୍ ସର୍ ହୋଇ ରହିଛି । ସେହି ରାସ୍ତାରେ ଯାନ ବାହନ ଚଳାଚଳ ହୋଇ ପାରୁ ନାହିଁ l କୌଣସି ଜରୁରୀ ପରିସ୍ଥିତିରେ ଯିବାକୁ ହେଲେ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ବର୍ଷା ଦିନରେ ପାଣି କାଦୁଅରେ ପିଡିଏସ ଚାଉଳ ଗାଡ଼ି ଦବି ଯାଇ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଦୁର୍ଗମ ଅଞ୍ଚଳରେ ଏଭଳି ସମସ୍ୟାରେ ଲୋକେ ରହିଆସୁଥିଲେ ସୁଦ୍ଧା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଉକ୍ତ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ସବୁଦିନିଆ ଭଲ ରାସ୍ତା ନଥିବାରୁ ଲୋକେ ଏହିସବୁ ସରକାରୀ ଯୋଜନାର ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଏଠାକୁ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀମାନେ ଆସନ୍ତି ହେଲେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ବି କାହାରି ନଜର ରାସ୍ତା ଉପରେ ପଡ଼ୁନାହିଁ । ପ୍ରଶାସନ ଜାଣି ଶୁଣି ମଧ୍ୟ ଚୁପ୍ ରହିଥିବା ନେଇ ବୁଦ୍ଧିଜୀବିଙ୍କ ମହଲରେ ମତ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ସରପଞ୍ଚ ବାରମ୍ଵାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ଗୁରୁତ୍ବ ଦେଉ ନଥିବା କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୂର୍ତ୍ତ ବିଭାଗ ରାସ୍ତାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।