ନୂଆପଡ଼ା(ବିରବଲ ପ୍ରଧାନ): କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ବିନିଯୋଗକରି ଗାଁ ଗାଁରେ ପକ୍କାରାସ୍ତା ନିର୍ମାଣ କରୁଛନ୍ତି । ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ରାସ୍ତା କାମରେ ଆସିବା ପରିବର୍ତ୍ତେ ଲୋକଙ୍କ ସମସ୍ୟାର କାରଣ ହେଉଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା କୋମନା ବ୍ଲକ୍ ଜଟଗଡ଼ ପଞ୍ଚାୟତ ବାବେଘାଟି ଗାଁରେ । ଏହି ପଡ଼ାରେ ୨୦୨୨–-୨୩ରେ ର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି I ରାସ୍ତା କାକଂକ୍ରିଟ କରିବା ସମୟରୁ ଖାଲ ହୋଇ ରହିଛି। ଫଳରେ ଉଚ୍ଚ ସ୍ଥାନରୁ ପାଣି ବୋହିଆସି ସେହିଠାରେ ଜମା ହେଉଥିବାରୁ ଲୋକଙ୍କୁ ଯାତାୟାତ କରିବାରେ ଅସୁବିଧା ହେଉଛି । ଡ୍ରେନ୍ ସୁବିଧା ନ ଥିବାରୁ ପାଣି ଜମାହୋଇ ଦୁର୍ଗନ୍ଧ ହେଉ ଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ । ଯାହା ପାଇଁ ମଶା, ମାଛିର ପ୍ରାଦୁର୍ଭାବ ବୃଦ୍ଧିପାଉଛି । ଏଥିଯୋଗୁ ବିଭିନ୍ନ ରୋଗ ହେବା ସମ୍ଭାବନା ରହିଛି । ବିକଳ୍ପ ନ ଥିବାରୁ ଲୋକେ ବାଧ୍ୟହୋଇ ସେହି ରାସ୍ତାରେ ପାଣିରେ ପଶି ଯାତାୟାତ କରୁଛନ୍ତି । ରାସ୍ତା ନିର୍ମାଣ ସମୟରେ ଉକ୍ତ ସ୍ଥାନ ଖାଲ ହେଉଛି ବୋଲି ଅଭିଯୋଗ ହୋଇଥିଲେ ମଧ୍ଯ ଠିକାଦାର କର୍ଣ୍ଣପାତ କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧୂକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ୍ ବ୍ୟବସ୍ଥା ସହ ପାଣି ଜମି ରହୁଥିବା ରାସ୍ତାର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।