କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ ବର୍ଷ ହେବ ଗାଁରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ କୋଠି ଖୋଲି ଗାଁର ପରିବେଶକୁ ନଷ୍ଟ କରିବା ସହ ଗାଁର ଯୁବକ, ଖଟିଖିଆ ଓ ଗରିବ ଶ୍ରେଣୀର ଲୋକଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ଗାଁରେ ଅଶାନ୍ତି ପରିବେଶ ସୃଷ୍ଟି କରିବା ଅଭିଯୋଗରେ ତାତିଲେ ମହିଳା ସଂଘ ଓ ଗ୍ରାମବାସୀ । ମଦ କୋଠିକୁ ଲାଗି ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ଅନେକ ସମୟରେ ମହିଳାମାନେ ଏହି କେନ୍ଦ୍ରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ମଦୁଆଙ୍କ ଟାହି ଟାପରାରେ ଅତିଷ୍ଠ ହୋଇ ପଡୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ବିଭିନ୍ନ ସମୟରେ ଗ୍ରାମର ମା ବସ୍ତରେନ ମାଉଳି, ତୁଳସୀ ଦେବୀ, କାଳେଶ୍ୱର ବାବା, ସପୁରା ମାତା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଙ୍ଘ ବିରୋଧ କରିବା ସହ ଅନେକ ସମୟରେ ମଦ କୋଠି ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେବା ସତ୍ତ୍ଵେ ମଧ୍ୟ ଦୁଇ ସାହୁ ଭାଇ ମଦ କୋଠି ବନ୍ଦ ନ କରିବାରୁ ଗ୍ରାମର ମହିଳା ସଙ୍ଘ ଓ ସଚେତନ ନାଗରିକମାନେ ମଙ୍ଗଳବାର ମଦ କୋଠିରେ ପହଞ୍ଚି ଦେଶୀ ବିଦେଶୀ ମଦକୁ ନଷ୍ଟ କରିଥିଲେ । ବୁଧବାର ଗମ୍ଭାରୀଗୁଡା ସମିତି ସଭ୍ୟା ପ୍ରମିଳା ଭୋଇଙ୍କ ନେତୃତ୍ୱରେ ଗ୍ରାମର ୪ ମହିଳା ସଙ୍ଘର ଶତାଧିକ ମହିଳା ଓ ଯୁବକ ଗୋଷ୍ଠି କୋକସରା ଥାନାକୁ ଆସି ମଦ କୋଠି ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ଥାନା ଅଧିକାରୀ ରୋନିତା ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯଦି ପୁଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମହିଳା ସଙ୍ଘ ଓ ଯୁବକ ଗୋଷ୍ଠି ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ପୁଲିସ ଦୁଇ ମଦ ବେପାରୀ ଭାଇଙ୍କୁ ଥାନାକୁ ଡକାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।