ରାଜନଗଡ଼ ଜଙ୍ଗଲରୁ ଉଦ୍ଧାର ହେଲା ୧୯୧ କେଜି ଗଞ୍ଜେଇ….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତର ରାଜନ ଗଡ଼ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୁଲିସ ଜବତ କରିଛି । ଗଞ୍ଜେଇର ଓଜନ ଏକ କ୍ୱିଣ୍ଟାଲ ୧୯୧ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି । ପ୍ରକାଶ ଯେ, ଉକ୍ତ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ୪ଟି ପ୍ଲାଷ୍ଟିକ୍‌ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି କୌଣସି ସ୍ଥାନକୁ ବିକ୍ରି ପାଇଁ ପଠାଯିବାକୁ କେହି ଦୁର୍ବୃତ୍ତ ରଖିଥିବା ପୁଲିସକୁ ଖବର ପହଞ୍ଚିଥିଲା । ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା, ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ହୋମଗାର୍ଡ ସୁରେଶ ମଳିକ, ଜିତେନ୍ଦ୍ର ରାଜଗୁରୁ ସଦଳବଳ ଉକ୍ତ ଜଙ୍ଗଲରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୁଲିସ କହିଛି । ଏତେ ସଂଖ୍ୟା ଓ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜିଲା ତଥା ରାଜ୍ୟ ବାହାରକୁ ଚାଲାଣ ପାଇଁ ଦୁର୍ବୃତ୍ତମାନେ ଗଞ୍ଜେଇ ଚାଷରୁ ଅମଳ କରି ଏକାଠି ରଖିଥାଇପାରନ୍ତି ବୋଲି ସନ୍ଦେହ କରିବା ସହ ଉକ୍ତ ଅଞ୍ଚଳରେ ଏହା ଚାଷ ହେଉଛି ନା ଅନ୍ୟ କେଉଁ ଜଙ୍ଗଲରୁ ଅମଳ ପରେ ଆଣି ଏଠି ରଖାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏନେଇ ଥାନାରେ ୧୨୦/୨୪ନଂରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ପ୍ରତିକ୍ରିୟାରେ କହିଛି ।