ଦାରିଙ୍ଗବାଡି (ଆଶୋକ ସିଂ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର, ସବୁଜ ବନାନୀ, ବଣ ପାହାଡ଼ ଘେରା ଓଡ଼ିଶାର କଶ୍ମୀର ନାମରେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବନାନୀ ସାରସ୍ଵତ ପରିଷଦ ପକ୍ଷରୁ “ମେଘ ଉତ୍ସବ -୨୦୨୪” କାର୍ଯ୍ୟକ୍ରମ ରବିବାର ଦିନ ସ୍ଥାନୀୟ ମିଶ୍ର କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ କବିତାୟନ, ପୁସ୍ତକ ସମୀକ୍ଷା ଓ ସମ୍ବର୍ଦ୍ଧନାର ତ୍ରିବେଣୀ ସଙ୍ଗମ ହୋଇଛି । ରାଜ୍ୟର କୋଣ ଅନୁକୋଣରୁ ଶତାଧିକ କବି, କବୟିତ୍ରୀ, ସାହିତ୍ୟ ସାଧକ ଓ ସାହିତ୍ୟ ପ୍ରେମୀମାନେ ଯୋଗ ଦେଇ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ହଜେଇ ଦେଇଛନ୍ତି ଏବଂ ତାଙ୍କ ଶବ୍ଦ କୋଷରୁ ଉଚ୍ଛୁଳି ଉଠିଛି ଗଭୀର ପ୍ରେମ, ଆବେଗତା, ଅସରନ୍ତି ଭାବ, ଓଡ଼ିଆ ଅସ୍ମିତା ଓ ସାହିତ୍ୟ । ବର୍ଷା ଭିଜା ମେଘ କାର୍ଯ୍ୟକ୍ରମକୁ ଦ୍ଵିଗୁଣିତ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ପରିଷଦର ଉପଦେଷ୍ଟା ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ଶରତ ଶବର, ବୃନ୍ଦାବନ ମହାପାତ୍ର, ଡ଼ଃ. ରାଜେନ୍ଦ୍ର କୁମାର ବେହେରା, ଡ଼ଃ ମମତା ପ୍ରିୟଦର୍ଶିନୀ ସାହୁ, ଡ଼ଃ. ବିଭୂତି ଭୂଷଣ ଆଚାର୍ଯ୍ୟ, ଡ଼ଃ. ନଳିନୀ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ କରିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ କବି କବୟିତ୍ରୀ, ଲେଖକ, ଗାଳ୍ପିକ, ନାଟ୍ୟକାର, ସାହିତ୍ୟ ପ୍ରେମୀମାନେ ଯୋଗ ଦେଇଥିଲେ l ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ବନାନୀ ସାରସ୍ଵତ ପରିଷଦର ସଭାପତିଙ୍କ ଦ୍ଵାରା ରଚିତ ପୁସ୍ତକ” ଅନେକ ଖୋଜିଲା ପରେ ” ଶିକ୍ଷକ ବିଦେଶୀ ନାୟକଙ୍କ ରଚିତ ପୁସ୍ତକ “ମୁଗ୍ଧ ଅନ୍ଧକାର”ଓ ବିଡ଼ିଓ ଗଦାଧର ପାତ୍ରଙ୍କ ରଚିତ “ଫୁଲକଢ଼ି ” ପୁସ୍ତକ ର ଉନ୍ମୋଚନ କରାଯାଇ ଏହାର ସମୀକ୍ଷା କରାଯାଇ ଥିଲା । ଉପସ୍ଥିତ ସାହିତ୍ୟ ସାଧକ ଓ ସାହିତ୍ୟ ପ୍ରେମୀଙ୍କ ଗହଣରେ ଡ଼ଃ ମମତା ପ୍ରିୟଦର୍ଶିନୀ ସାହୁ , “ଫୁଲକଢ଼ି ” ଶୀର୍ଷକ ପୁସ୍ତକର ସମୀକ୍ଷା କରିଥିଲେ l ଡ଼ଃ. ବିଭୂତି ଭୂଷଣ ଆଚାର୍ଯ୍ୟ “ଅନେକ ଖୋଜିଲା ପରେ” ପୁସ୍ତକର ସମୀକ୍ଷା କରିଥିଲେ, ଡ଼ଃ. ନଳିନୀ କୁମାର ପାଣିଗ୍ରାହୀ “ମୁଗ୍ଧ ଅନ୍ଧକାର “ପୁସ୍ତକର ସମୀକ୍ଷା କରିଥିଲେ । ଜଣେ କବି, ସାହିତ୍ୟ ସାଧକ ବା ସାହିତ୍ୟ ପ୍ରେମୀ ସମାଜରେ ସଂସ୍କରଣ ଆଣିଥାଏ, ବିପ୍ଳବ ସୃଷ୍ଠି କରିଥାଏ, ସମାଜରେ ପରିବର୍ତ୍ତନ ଆଣିଥାଏ l ଏଣୁ ଦୁର୍ଗମ ଅଞ୍ଚଳରେ ଓଡ଼ିଆ ଅସ୍ମିତାକୁ ବଜାୟ ରଖି ବନାନୀ ସାରସ୍ଵତ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସାହିତ୍ୟ ପ୍ରେମୀ ମାନେ ଆୟୋଜକ ମଣ୍ଡଳୀକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ମଞ୍ଚରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ଜଣ କବି କବୟିତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସାରସ୍ଵତ ସମ୍ମାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ଅନୁଷ୍ଠାନର ସଭାପତି ପତିତ ପାବନ ରାଉତ, ସମ୍ପାଦକ ବିଦେଶୀ ନାୟକଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ଦିଗାଲ , ଶିକ୍ଷକ ପ୍ରଶାନ୍ତ ସାହୁ, ଆଇନ ଜିବୀ ଉମେଶ କର, ମିସ୍ ସସ୍ମିତା ସାମନ୍ତ, ସୁଶ୍ରୀ ବବଲିନ୍ ନାୟକ, ସୁଶ୍ରୀ ବନିତା ନାୟକ, ସୁଶ୍ରୀ ବିପାଶା ନାୟକ, କେଶବ ଡାକୁଆ, ଆଶିଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଦେଶୀ ନାୟକ ସଂଯୋଜନା କରିଥିଲେ ।