- ଘୁ.ଉଦୟଗିରି ବ୍ଲକକୁ ଟାର୍ଗେଟ ୧୭୧୫୦ ଆବେଦନ ହୋଇଛି ମାତ୍ର ୪୯୨୩
- ଘୁ.ଉଦୟଗିରି ଏନଏସିକୁ ଟାର୍ଗେଟ ୨୮୫୦ ଆବେଦନ ହୋଇଛି ୧୪୭୮
- ସମଗ୍ର ଘୁ.ଉଦୟଗିରିରେ ନେଟ ସମସ୍ୟା ଯୋଗୁଁ ସୁଭଦ୍ରା ଯୋଜନା ଆବେଦନରେ ଦେଖା ଦେଇଛି ସମସ୍ୟା

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ ଆଗ୍ରହ ଦେଖା ଦେଇଥିବା ବେଳେ ଘୁ.ଉଦୟଗିରି ବ୍ଲକରେ ମହିଳାଙ୍କ ମଧ୍ୟରେ ଆଗ୍ରହ ଅଛି ହେଲେ ବାଧକ ସାଜିଛି ନେଟ ସେବା । ଏହି ସମସ୍ୟା କେବଳ ପଞ୍ଚାୟତ ଅଂଚଳରେ ଦେଖା ଯାଇ ନାହିଁ l ଘୁ.ଉଦୟଗିରି ସହରରେ ନେଟ ବ୍ୟବସ୍ଥା ଥିଲେ ମଧ୍ୟ ନେଟ ଯୋଗାଣକାରୀ ସଂସ୍ଥାର ମନମାନୀ ଯୋଗୁ ଅନେକ ସମୟରେ ନେଟ ବହୁତ ସ୍ଲୋ ହେବା ଦ୍ବାରା ଆବେଦନରେ ବହୁ ସମସ୍ୟା ଦେଖା ଦେଉ ଥିବା ମହିଳା ମାନେ ଅଭିଯୋଗ କରିଛନ୍ତି l ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଆଧାର ସହିତ ମୋବାଇ ନମ୍ବର ଲିଙ୍କ ଓ ସମ୍ପୂର୍ଣ୍ଣ ରୂପେ ଓଟିପି ମୁକ୍ତ କରାଯାଇଛି । ଯାହା ଫଳରେ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆବେଦନ ବେଳେ ଆଧାରରେ ମୋବାଇଲ ନମ୍ବର ଲିଙ୍କ ଏବଂ ଇ-କେୱ।ଇସି ବ୍ୟବସ୍ଥା ହଟିବା ପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାର ଆଶା କରାଯାଉଥିଲା ହେଲେ ଏହି ଆଶାରେ ପ୍ରତିବନ୍ଧକ ସାଜିଛି ନେଟୱାର୍କ ସମସ୍ୟା । ୮ଗୋଟି ପଞ୍ଚାୟତ ମଧ୍ୟରୁ ୪ଗୋଟି ପଞ୍ଚାୟତରେ ନେଟ ସମସ୍ୟା ଯୋଗୁଁ ତଲରୀମାହା ପଞ୍ଚାୟତର ମହିଳାମାନେ କଳିଙ୍ଗା ପଞ୍ଚାୟତର ଜନସେବା କେନ୍ଦ୍ରରେ ଆବେଦନ କରୁଥିବା ବେଳେ ରାଇକଲା ପଞ୍ଚାୟତର ମହିଳାମାନେ ଲିଙ୍ଗାଗଡ଼, ଗ୍ରେସିଙ୍ଗିଆ ଏବଂ ରଟିଙ୍ଗିଆ ପଞ୍ଚାୟତର ମହିଳାମାନେ ଘୁ.ଉଦୟଗିରି ଏନଏସି ଅଞ୍ଚଳରେ ଆବେଦନ କରୁଥିବା ସୂଚନା ମିଳିଛି । ଏହି ଚାରି ପଞ୍ଚାୟତର ମହିଳାମାନେ ନେଟ ସମସ୍ୟା ଯୋଗୁଁ ନିଜ କାମଧନ୍ଦା ଛାଡି ଦିନ ରାତି ଅନ୍ୟ ସ୍ଥାନକୁ ଦୌଡ଼ିବାକୁ ପଡୁଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆବେଦନ ନିମନ୍ତେ ଘୁ.ଉଦୟଗିରି ବ୍ଳକର ୮ଗୋଟି ପଞ୍ଚାୟତରେ ୮ଟି ଜନସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ନିମନ୍ତେ କାର୍ଯ୍ୟ ହେଉଥିବା ବେଳେ ଓ ୯ଟି ମୋ ସେବା କେନ୍ଦ୍ର ଏବଂ ଏନଏସି ଅଞ୍ଚଳରେ ଥିବା ୩ଟି ଜନସେବା କେନ୍ଦ୍ର ଏବଂ ୩ଟି ମୋ ସେବା କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଛି । ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ମାଗଣା । ଯଦି କୌଣସି ସ୍ଥାନରେ ଟଙ୍କା ମଗାଯାଏ ତେବେ ଟୋଲ୍ ଫି ନମ୍ବରରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଏନଏସି ଏବଂ ବ୍ଲକ ପକ୍ଷରୁ ଦୁଇଟି ସଚେତନତା ରଥ ପରିକ୍ରମା କରୁଥିବା ବେଳେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧୭୧୫୦ ଫର୍ମ ବଣ୍ଟନ ବ୍ୟବସ୍ଥା ହୋଇଛି । ଏଥିସହ ଏନଏସି ପକ୍ଷରୁ ୨୮୫୦ହଜାର ଫର୍ମ ବଣ୍ଟନ ବ୍ୟବସ୍ଥା କରାଯାଇଛି । ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ଲାଭ ପାଇବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ଏନଏସି ପକ୍ଷରୁ ସୁଚନା ମିଳିଛି । ଘୁ.ଉଦୟଗିରି ବ୍ଳକରେ ଆଜି ଅପରାହ୍ନ ସୁଦ୍ଧା ୪ ହଜାର ୫୩୩ ଜଣ ମହିଳା ଆବେଦନ କରିଥିବା ବେଳେ ଏନଏସିରେ ୧୩୮୭ ମହିଳା ଆବେଦନ କରିଥିବା ଜଣାପଡ଼ିଛି । ପୂର୍ବରୁ ଆବେଦନକାରୀମାନେ ମୋବାଇଲ ନମ୍ବର ଲିଙ୍କ୍ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ । ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ । ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ ହୋଇ ପାରୁଥିବାରୁ ଯୋଗ୍ୟ ମହିଳା ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି l