ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଅସହାୟ ବାଳକର ସ୍ବପ୍ନ ହେଲା ସାକାର…

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ଅନ୍ତ ଘଟାଇବା ପ୍ରୟାସରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗତକାଲି ଲିଟିସର୍ଗି ଗ୍ରାମ ପଞ୍ଚାୟତରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ସେଠାକାର ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରିଥିଲେ l ଏଠାରେ ସୂର୍ଯ୍ୟ ପ୍ରକାଶ ହଂସ ନାମକ ଏକ ପିତୃହୀନ ଏବଂ ମା ପରିତ୍ୟାଗ କରିଦେଇଥିବା ଅସହାୟ ବାଳକକୁ ନେଇ ସହାୟତା ପାଇଁ ତାର ଅଜା ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ l ପିଲାଟି ପାଠ ପଢି ଜୀବନରେ ଉନ୍ନତି କରିବା ପାଇଁ ସ୍ୱପ୍ନ ଦେଖୁଥିଲା l ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଜିଲ୍ଲାପାଳ ଏହାକୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଡିସିପିଓ ଆନ୍ତର୍ଯ୍ୟାମୀ ବଳିୟାରସିଂଙ୍କୁ ନିର୍ଦେଶ ଦେଇଥିଲେ l ଏହାପରେ ବାଳକକୁ ରାଜ ଖରିଆର ଗଡରାମୁଣ୍ଡା ସ୍ଥିତ ନବପ୍ରଭାତ ଶିଶୁ ଯତ୍ନ କେନ୍ଦ୍ରରେ ଦ୍ଵିତୀୟ ଶ୍ରେଣୀରେ ନାମ ଲେଖିବା ପାଇଁ  ବନ୍ଦୋବସ୍ତ କରାଗଲା l ଏହାର ସମସ୍ତ ଖର୍ଚ୍ଚ ଜିଲ୍ଳା ପ୍ରଶାସନ ବହନ କରିବ l ଜିଲ୍ଲାପାଳଙ୍କ ଏହି ସମୟୋଚିତ ତ୍ୱରିତ ପଦକ୍ଷେପ ଯୋଗୁଁ ଗୋଟିଏ ଅସହାୟ ପିଲାର ଭବିଷ୍ୟତ ସୁରକ୍ଷିତ ହୋଇଯାଇଥିବାରୁ ଉପସ୍ଥିତ ଜନତା ଏହି ମହତ୍ କାର୍ଯ୍ୟକୁ  ସ୍ୱାଗତ କରିଥିଲେ l