ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି । ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ରରେ ଫର୍ମ ପାଇଁ କୌଣସି ହିତାଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ମଧ୍ୟ ରହିଛି । ଏହି ନିର୍ଦ୍ଦେଶର ଉଲଂଘନ ଅଭିଯୋଗରେ ହେମଗିର ବ୍ଲକର ଅଙ୍କେଲବିରାର ଜନ ସେବା କେନ୍ଦ୍ରକୁ ବ୍ଲକ ପ୍ରଶାସନ ଦ୍ବାରା ସିଲ୍ କରାଯାଇଅଛି ଏବଂ ସଂପୃକ୍ତ ଜନ ସେବା କେନ୍ଦ୍ରର ଭି.ଏଲ୍.ଇଙ୍କ ବିରୋଧରେ ଏଫ୍.ଆଇ.ଆର୍. ଦିଆଯାଇଛି । ପ୍ରକାଶ ଥାଉ କି ସଂପୃକ୍ତ ଭି.ଏଲ.ଇ ଜଣକ ଫର୍ମ ପାଇଁ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏପରିକି ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କରୁଥିଲେ । ଅଭିଯୋଗ ପାଇ ହେମଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ଦ୍ଵାରା ଏହାର ଅନୁସନ୍ଧାନ କରେଇଥି ଲେ। ଆଜି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଏକ ଟିମ୍ ସହ ଯାଇ ସେହି କେନ୍ଦ୍ରକୁ ସିଲ୍ କରିଥିଲେ l କେନ୍ଦ୍ରରେ ବ୍ୟବହୃତ ମେସିନ ଗୁଡ଼ିକ ମଧ୍ୟ ଜବତ କରାଯାଇଥିଲା ଏବଂ କେନ୍ଦ୍ରର ଭି.ଏଲ. ଇ. ବିରୋଧରେ ଏଫ୍. ଆଇ. ଆର୍ ଦେଇଥିଲେ ।