ସାମ୍ବାଦିକଙ୍କ ବିରୋଧରେ ଷଡଯନ୍ତ୍ର ଓ ମିଥ୍ୟା ମାମଲା ଘଟଣା, ୧୩ ତାରିଖରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା….

ପାରଳାଖେମୁଣ୍ଡି/ରାୟଗଡ଼(ପ୍ରବୀଣ ଲିମା/ଟିକି ଲିମା): ଷଡଯନ୍ତ୍ର ଓ ମିଥ୍ୟା ମାମଲା ଘଟଣାକୁ ବିରୋଧ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ତାରିଖରୁ ସାମ୍ବାଦିକ ମାନେ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣାରେ ବସିବେ । ସୂଚନାଯୋଗ୍ୟ ଯେ ରାୟଗଡ ବ୍ଲକ ଅନ୍ତର୍ଗତ ପେଗେଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଶିକ୍ଷୟତ୍ରୀଙ୍କୁ ବିଞ୍ଛିବା ଓ ଅଣ୍ଡା ବଣ୍ଟା ଘଟଣାର ଖବର ପ୍ରସାରିତ ହୋଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ରକରି ପେଗେଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ପରିଚ୍ଛା  ସାମ୍ବାଦିକ ସଞ୍ଜିବ କୁମାର ପାଣି, ସନ୍ତୋଷ କୁମାର ପଟନାୟକ ଓ ଜିତେନ୍ଦ୍ର ପାତ୍ରଙ୍କ ବିରୋଧରେ ରାୟଗଡ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ୩ଜଣ ସାମ୍ବାଦିକଙ୍କୁ ଥାନାକୁ ସେପ୍ଟେମ୍ବର ୫ତାରିଖରେ ଜେରା ପାଇଁ ଡକାଯାଇଥିଲା । ସେଠାରେ ସେହି ସାମ୍ବାଦିକମାନେ ତଦନ୍ତରେ ସହଯୋଗ କରିଥିଲେ । ଏପରିକି ତଦନ୍ତ ବେଳେ ଥାନାରେ ଅଭିଯୋଗକାରୀ ଜଣେ ସାମ୍ବାଦିକଙ୍କୁ ଚିହ୍ନିପାରି ନଥିଲେ । ଏହା ଏକ ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇ ମିଥ୍ୟା ମାମଲା କରାଯଇଛି ବୋଲି ସାମ୍ବାଦିକମାନେ ଅନୁଭବ କରିଥିଲେ । ତାପରେ  ୩ଜଣ ସାମ୍ବାଦିକମାନେ ପୃଥକ ପୃଥକ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଷଡଯନ୍ତ୍ରକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ  । ଏହି ଘଟଣାର ତଦନ୍ତରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କୁ ସାମିଲ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।  ମଧ୍ୟାହ୍ନ ଭୋଜନ ପରେ ତଦନ୍ତ ହେବ ବୋଲ ତଦନ୍ତକାରୀ ଅଧିକାରୀ କହିଥିଲେ । ୩ଜଣ ସାମ୍ବାଦିକ ମଧ୍ୟାହ୍ନ ଭୋଜନ ପରେ ଥାନାକୁ ଯାଇ ରାତ୍ର ୮ଘଣ୍ଟା  ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । କିନ୍ତୁ ଅଭିଯୋଗ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଆସିନଥିଲେ । ଘଟଣା ପ୍ରକୃତ ସତ୍ୟାସତ୍ୟ ତଦନ୍ତ ନକରି ପ୍ରଧାନ ଶିକ୍ଷୟିତ୍ରୀ କରିଥିବା ମିଥ୍ୟା ଅଭିଯୋଗ ଗ୍ରହଣ କରି ୩ଜଣ ସାମ୍ବାଦିକ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିଥିଲା । କିନ୍ତୁ ସାମ୍ବାଦିକମାନେ ଯେଉଁ ଅଭିଯୋଗ କରିଥିଲେ ତାହାର ମାମଲା ରୁଜୁ କରିନଥିଲେ । ଏହି ଘଟଣାକୁ ବିରୋଧ କରି ବୁଧବାର ବିଳମ୍ବିତ ସଂଧ୍ୟା ସମୟରେ ଜିଲ୍ଲାର ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ଭେଟି ପେଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଘଟଣାର ତଦନ୍ତ କରିବା ସହ ୩ଜଣ ସାମ୍ବାଦିକ ଥାନାରେ ଯେଉଁ ଅଭିଯୋଗ କରିଛନ୍ତି ସେହି ମାମଲା ଗୁଡିକ ରୁଜୁ କରିବାକୁ ଦାବୀ କରିଛନ୍ତି । ଏହାସହ ଆସନ୍ତା ୧୩ତାରିଖରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିବା ସହ ପାରଳାଖେମୁଣ୍ଡି  ଥାନାରେ ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ଡ୍ୱିଜେନ୍ଦ୍ରନାଥ ପାଢୀ, ବିଧାନ ଚୌଧୁରୀ, ପ୍ରଦୀପ ନାୟକ, ଗଣେଷ ରାଜୁ, ରଶ୍ମିରଞ୍ଜନ ମିଶ୍ର, କୃଷ୍ଣ କୁମାର ବେହେରା, ଶିଶିର କୁମାର ଗୌଡ, ଲୋକନାଥ ପଣ୍ଡା, ଆମୋଦ କୁମାର ବର୍ଦ୍ଦନ, କୈଳାଶ ସ୍ୱାଲସିଂ, ଅଲିନ୍ ପାଣି, ଫିଲମନ୍ କରାଡ, ସୁଶାନ୍ତ ପ୍ରଧାନ ଓ ଦିଲ୍ଲୀପ କୁମାର ସତପଥୀଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।