ବନ୍ଧା ହେଲେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ…..

ଭଞ୍ଜନଗର(ନିଲୁ ବିଷୋୟୀ): ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ପ୍ରସନ୍ନ କୁମାର ସ୍ବାଇଁ ବ୍ରହ୍ମପୁର ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ବ୍ରହ୍ମପୁର ଭିଜିଲାନ୍ସର ୭ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର୍ ଓ ଏଏସ୍‌ଆଇଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍ ବୁଧବାର ଭୋର୍‌ରୁ ଏକକାଳୀନ ୯ଟି ସ୍ଥାନରେ ରେଡ଼ କରିଥିଲେ । ଦିନ ତମାମ ଖୋଳତାଡ଼ ପରେ ପ୍ରସନ୍ନଙ୍କ ପାଖରେ କୋଟି କୋଟି ଟଙ୍କାରେ ନିର୍ମିତ ୬ଟି ବହୁତଳ କୋଠା, ୫ଟି ପ୍ଲଟ୍, ୨୩.୯୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ଓ ୨୦୦ ଗ୍ରାମ୍ ସୁନାଅଳଙ୍କାର ଠାବ ହୋଇଛି । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ କେସ ନଂ ୧୮/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରସନ୍ନ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଇଂ ପ୍ରସନ୍ନ ସ୍ୱାଇଁ ୨୦୦୩ ମସିହାରେ ଠିକାରେ କନିଷ୍ଠ ଯନ୍ତ୍ରୀ ଭାବେ ଖରିଆରରେ କାଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ୨୦୧୦ ମସିହାରେ ଭଞ୍ଜନଗର ଜଳ ସମ୍ପଦ ବିଭାଗରେ କାଯ୍ୟ କରୁଥିବା ବେଳେ ୨୦୧୩ ମସିହାରେ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିଲେ । ଦୀର୍ଘ ୧୪ ବର୍ଷ ଧରି  ସେ ଏହି ଜାଗାରେ କାଯ୍ୟ କରୁଥିବା ଯାଞ୍ଚ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ।