ଲଗାଣ ଝଡ଼ ବର୍ଷାରେ ଭୁଷୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ….

ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ଲଘୁଚ଼ାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେବା ସହିତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ କିଛି ସ୍ଥାନରେ ଘର ମଧ୍ୟ ଭୁଷୁଡି ପଡିଥିବା ଜଣାପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ସମୟରେ ମୋହନା ବ୍ଲକ୍ ଅନ୍ତର୍ଗତ ଅଡ଼ବା ଗ୍ରାମ ଖ୍ରୀଷ୍ଟିଆନ ସାହିରେ ବାସ କରୁଥିବା ବିପିନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅ ଘରେ ମଧ୍ୟାହ୍ନ ଭୋଜନ ଲାଗି ବସିଥିବା ବେଳେ ହଠାତ୍ ତାଙ୍କର ଝାଟି ମାଟିରେ ନିର୍ମିତ ଘରର କାନ୍ଥ ଭୁଷୁଡି ପଡିଥିଲା । ଫଳରେ ବାପା ଓ ପୁଅ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇଥିଲେ । କିନ୍ତୁ ବିପିନଙ୍କର ସ୍ତ୍ରୀ ବାହାରକୁ ଯାଇପାରିନଥିବାରୁ ତାଙ୍କ ଉପରେ ଏକ କାଠ ପଡିଯିବାରୁ ତାଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି l ଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କିଛି ଦିନରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାବେଳେ ପାହାଡିଆ ଅଞ୍ଚଳ ଗୁଡିକରେ କ୍ଷୟକ୍ଷତି ହେବାର ଆଶଙ୍କା କରି ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।