ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଦାଦନ ସମସ୍ୟା ଦିନକୁ ଦିନ ପ୍ରମୁଖ ସମସ୍ୟା ଭାବରେ ଉଭାନ ହୋଇଛି l ଏହା ଫଳରେ ପେଟ ପାଟଣା ପାଇଁ ସିନାପାଲି ଅଞ୍ଚଳର ହଜାର ହଜାର ଦାଦନ ଶ୍ରମିକ ସୁଦୂର ଆନ୍ଦ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ, ଚେନାଇ, ତେଲେଙ୍ଗାନା, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୌଣସି କଳକାରଖାନା କିମ୍ବା କର୍ମସଂସ୍ଥାନ ନାହିଁ l ଅନ୍ୟ ପଟେ ସରକାର ନିଜ ଅଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ମନରେଗା ଯୋଜନା କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ପ୍ରତ୍ୟେକ ମନରେଗା କାର୍ଯ୍ୟ ଶ୍ରମିକଙ୍କ ବଦଳରେ ମେସିନରେ ହେଉଥିବାରୁ ଶ୍ରମିକମାନେ କାମ ନ ପାଇ ହାତ ବାନ୍ଧି ବସିଥାନ୍ତି l ସରକାରଙ୍କ ଯୋଜନା ସଫଳ ହେଉ ନ ଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାମ ହେଉଥିବା ବେଳେ ସେମାନେ ସମସ୍ତେ ଲାଭବାନ ହେଉଛନ୍ତି l କର୍ମ ସଂସ୍ଥାନ ନ ଥିବାରୁ ସିନାପାଲି ବ୍ଲକର ୨୭ ଟି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ପରିବାର ପ୍ରତିପୋଷଣ ପାଇଁ କାମ ଅନ୍ୱେଷଣରେ ଯିବା ପାଇଁ ବାଧ୍ୟ ହେଉଛନ୍ତି l ବ୍ଲକର ପାଖାପାଖି ନଅ ହଜାର ୩ ଶହରୁ ଅଧିକ ଦାଦନ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ଅନୁମାନ କରାଯାଏ l ହେଲେ ସିନାପାଲି ବ୍ଲକରେ ଅନେକ ଥର ଅଭିଯୋଗ ଖବର ପ୍ରସାରଣ ପରେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ଏହାର କୌଣସି ତଥ୍ୟ ନ ଥିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏଥି ପ୍ରତି ଶ୍ରମ ବିଭାଗ କି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ କେହିବି ଆନ୍ତରିକତା ଦେଖାଇ ନ ଥିବା ଦେଖିବାକୁ ମିଳିଛି l ଆଗକୁ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ଆସୁଥିବାରୁ ବାହାରେ ରହୁଥିବା ଦାଦନ ଶ୍ରମିକମାନେ ଗାଁକୁ ଫେରୁଥିବା ଦେଖିବାକୁ ମିଳିଛି l ଏଥିପାଇଁ ବସଷ୍ଟାଣ୍ଡ ଗୁଡିକରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଗହଳି ପରିଲକ୍ଷିତ ହେଉଛି lସମସ୍ତେ ଘରକୁ ଆସି ନୂଆଖାଇ ସାରିବା ପରେ ପୁଣି ନିଜ କର୍ମକ୍ଷେତ୍ରକୁ ଫେରିଯିବେ l ବର୍ତ୍ତମାନ ରାଜ୍ୟରେ ନୂତନ ବିଜେପି ସରକାର ଆସିଥିବାରୁ ଶ୍ରମିକମାନଙ୍କୁ କାମ ଯୋଗାଇ ଦାଦନ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l