ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ସରାମୁଳି ପଞ୍ଚାୟତ ରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଜମି ବିବାଦ ଲାଗି ରହି ଥିବା ବେଳେ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି l ଦାରିଙ୍ଗବାଡି ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ମୁତୟନ କରି ଜମି ଚିହ୍ନଟ ପ୍ରକ୍ରିୟା କରାଯାଇଛି ।
ସୂଚନା ମୁତାବକ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗରୀବ ଭୂମିହୀନ ଶ୍ରେଣୀର ଲୋକଙ୍କ ପାଇଁ ଘରବାରି ୧୬ଆର ଜମି ପଟ୍ଟା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨୧ ଜଣ ଭୂମିହୀନ ମାନଙ୍କୁ ବଡ଼ଗାଁ ଛକ ନିକଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ଵରେ ଥିବା ବସ୍ତିଯୋଗ୍ୟ ସ୍ଥାନରେ ପ୍ରଦାନ କରଯାଇଛି । ପଟ୍ଟା ପ୍ରଦାନର ପ୍ରାୟ ୨୫ବର୍ଷ ବିତିଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ଜମି ଚିହ୍ନଟ ହୋଇ ପାରୁ ନ ଥିଲା l ହିତାଧୀକାରୀମାନେ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଦାବୀ କରି ଆସୁଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ରାସ୍ତା ବାହାରି ପାରୁ ନ ଥିଲା ।

ହିତାଧିକାରିମାନଙ୍କ କହିବା ଅନୁଯାୟୀ ଗତ ୨୦୦୪ମସିହାରେ ତତ୍କାଳୀନ ସରପଞ୍ଚ ଇଶାକ ପାଟମାଝୀଙ୍କ ସମୟରେ ଉକ୍ତ ଜମି ଚିହ୍ନଟ ପାଇଁ ଆବେଦନ କରାଯାଇ ଥିଲା l ସେହି ସମୟରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମି ଚିହ୍ନଟକରଣ ପାଇଁ ଆସିଥିବା କର୍ମଚାରୀମାନଙ୍କୁ ପାଇକ ସାହିର କିଛି ଲୋକ ଗାଳି ଗୁଲଜ କରି ଘଉଡ଼ାଇ ଦେଇ ଥିଲେ l ପରେ ୨୦୦୯ ମସିହାରେ ସରପଞ୍ଚ କର୍ମ ପାଟମାଝୀ, ୨୦୧୨ର ସରପଞ୍ଚ କମଳା ପାଟ ମାଝୀ , ୨୦୧୮ରେ ସରପଞ୍ଚ ଚନ୍ଦ୍ର ଶେଖର ପାଟ ମାଝୀଙ୍କ ସମୟରେ ଉକ୍ତ ଜମି ଚିହ୍ନଟ ପାଇଁ ସରପଞ୍ଚମାନଙ୍କ ଜରିଆରେ ଚେଷ୍ଟା କରାଯାଇ ଥିଲା l ପ୍ରତ୍ୟେକ ଥର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆସିଥିବା କର୍ମଚାରୀମାନଙ୍କୁ ଗାଳି ଗୁଲଜ କରି ପାଇକ ସାହିର ଲୋକେ ଘଉଡାଇ ଦେଉଥିବା ଅଭିଯୋଗ ହୋଇ ଥିଲା । ୨୦୨୪ ମସିହାରେ ମଧ୍ୟ ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ଜମି ଚିହ୍ନଟ କରି ନ ପାରି ଫେରି ଯାଇ ଥିଲେ l ହିତାଧିକାରୀଙ୍କ ବାରମ୍ଵାର ଦାବୀ ପରେ ପ୍ରଶାସନ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଶୁକ୍ରବାର ଦିନ ପୁଣି ଥରେ ତହସିଲ ଦାର ଶ୍ରୀ ଶବରଙ୍କ ଉପସ୍ଥିତିରେ ଉକ୍ତ ଜମି ଚିହ୍ନଟ କରାଯାଇଛି l ଏହି ଚିହ୍ନଟ ପ୍ରକ୍ରିୟା ସମୟରେ ପାଇକ ସାହିର କିଛି ମହୀଳା ଉକ୍ତ ଚିହ୍ନଟ ପ୍ରକ୍ରିୟାକୁ ପ୍ରତିବାଦ କରିଥିଲେ l ତଥାପି ସେମାନଙ୍କୁ ବୁଝା ସୁଝା କରି ଉକ୍ତ ଜମିର ସୀମା ନିରୂପଣ କରାଯାଇଛି ।
ଏହି ଜମି ଚିହ୍ନଟ କାର୍ଯକ୍ରମରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୁପର ଭାଇଯାର ଡାବ୍ରା ଫ୍ଲରୀୟା, ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ, ବ୍ରାହ୍ମଣୀଗାଁ ଆର ଆଇ ରଂଜିତ କହଁରଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ l ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ ଆଇ ରମାକାନ୍ତ ସେଠୀ ଙ୍କ ସମେତ ସଶସ୍ତ୍ର ସୁରକ୍ଷା କର୍ମୀ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।