ଦାରିଙ୍ଗବାଡ଼ି (ଆଶୋକ ସିଂ): ଡାକ୍ତରୀ ପାଠ ପଢିବେ ଦୁର୍ଗମ ଅଞ୍ଚଳର ଚାଷୀ ପୁଅ କଳାକାର ପ୍ରଧାନ l ଡାକ୍ତର ହେଲେ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସେବା କରିବା ଇଚ୍ଛା ରଖିଛନ୍ତି l କଠିନ ପରିଶ୍ରମ କରି ପାଠ ପଢ଼ି ବାପାଙ୍କୁ ଚାଷ କାମରେ ସାହାଯ୍ୟ କରି ସେ ବର୍ତ୍ତମାନ କଟକ ଏସସିବି ମେଡିକାଲରେ ନାମ ଲେଖାଇଛନ୍ତି l କିନ୍ତୁ ପାଠ ପଢ଼ିବାରେ ବାଧକ ସାଜିଛି ଅର୍ଥ l ବାପା ମା ପୁଅ କଳାକାରଙ୍କୁ ପାଠ ପଢ଼ାଇବା ପାଇଁ ଚାଷ ଜମି ବନ୍ଧକ ରଖିବା ସହିତ ଋଣ ଆଣି ପାଠ ପଢ଼ାଉ ଛନ୍ତି l କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ l ଆରମ୍ଭରୁ ସେ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଆଶ୍ରମ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ପରେ ତୋପବନ ହାଇସ୍କୁଲରେ ୧୦ଶ୍ରେଣୀ ଯାଏ ପାଠ ପଢି ଥିଲେ l ଏହା ପରେ ସେ ଭୁବନେଶ୍ୱର ବିଜେବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢି ୨୦୨୨ ମସିହାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ l
ଏହା ପରେ ସେ ଘରକୁ ଆସି ବାପା ମାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହିତ ଘରେ ରହି NEET ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l କଳାକାରଙ୍କୁ ପାଠ ପଢାଈବା ପାଇଁ ବାପା ନିଜ ଚାଷ ଜମି ବନ୍ଧକ ରଖିବା ସହ ଗାଈ ଛେଳି ବିକ୍ରି କରିଛନ୍ତି l ଚଳିତ ବର୍ଷ କଳାକାର ନିଟ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ ଏସସିବି ବଡ଼ମେଡିକାଲ କଲେଜରେ ନାମ ଲେଖାଇଛନ୍ତି l କିନ୍ତୁ ପାଠ ପଢା ପାଇଁ ଅର୍ଥ ବାଧକ ସାଜିଛି l ରାଜ୍ୟ ସରକାର ତାଙ୍କୁ କିଛି ସହାୟତା କଲେ ତାଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି କଳାକାର ଆଶା କରିଛନ୍ତି l ଘଞ୍ଚ ଜଙ୍ଗଲ ଭିତରେ ଥିବା ସବେରଙ୍ଗା ଗାଁରେ ଏକ ଛୋଟିଆ ଘରେ ବାପା ମାସୁଙ୍ଗା ପ୍ରଧାନ ଓ ମା ସୁମିତା ପ୍ରଧାନ ରୁହନ୍ତି l ବାପା ମାସୁଙ୍ଗା ହଳଦୀ ଚାଷ ସହିତ ଧାନ ଚାଷ କରି ପରିବାର ପୋଷଣ କରନ୍ତି l ପୁଅ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଚାରିଆଡୁ ପୁଅକୁ ଶୁଭେଚ୍ଛା ମିଳୁଛି l କଳାକାର ଦିନକୁ ୧୫ ଘଣ୍ଟାରୁ ଅଧିକ ପରିଶ୍ରମ କରିବା ସହ ଚାଷ କାମରେ ବାପାଙ୍କୁ ସହଯୋଗ କରନ୍ତି l ତଥାପି ଦୁର୍ଗମ ଅଞ୍ଚଳର ପୁଅ କଳାକାର ପଛକୁ ଫେରି ନାହାନ୍ତି l ନିଜ ଲକ୍ଷ ପଥରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଥିଲେ l ତେଣୁ ପୁଅର ପାଠ ପଢ଼ା ପାଇଁ ସରକାର କିଛି ସାହାଯ୍ୟ କରିଲେ ପୁଅ ଡାକ୍ତର ପାଠ ପଢ଼ି ତାହାର ଯେଉଁ ସ୍ୱପ୍ନ ରହିଛି ତାହା ପୁରଣ ହେବ ଓ ସେ ଲୋକଙ୍କ ସେବା କରିପାରିବ ବୋଲି ବାପା ଓ ମା ଅଶା ପ୍ରକାଶ କରିଛନ୍ତି l