ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ନାମରେ ଏକ ଯୁଗାନ୍ତକାରୀ ଯୋଜନା ଆରମ୍ଭ କରିଛନ୍ତି । ଏହି ସୁଭଦ୍ରା ଯୋଜନାକୁ ନେଇ ଏବେ ସମଗ୍ର ରାଜ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି । ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ସ୍ବାସ୍ଥ୍ୟ ଏବଂ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟମିତା ପ୍ରୋତ୍ସାହିତ କରିବା, ଡିଜିଟାଲ ଆର୍ଥିକ ସାକ୍ଷରତାକୁ ଉତ୍ସାହିତ କରିବା ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ସେମାନଙ୍କୁ ସଶକ୍ତ କରିବା । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ସୁଭଦ୍ରା ଯୋଜନାକୁ ଯୁଗାନ୍ତକାରୀ ଯୋଜନା ଭାବେ ଅଭିହିତ କରିବା ସହିତ ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ଏହା ସହିତ ଏହି ମହତ୍ ଯୋଜନାରେ ସମସ୍ତ ହିତାଧିକାରୀମାନେ କିଭଳି ଭାବେ ଅନ୍ତର୍ଭୁକ୍ତ ହୋଇ ପାରିବେ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ କୌଣସି ସମୟ ସୀମା ନାହିଁ । ତେଣୁ ହିତାଧିକାରୀମାନେ ବ୍ୟସ୍ତ ନ ହେବା ସହିତ ଫର୍ମ ଦାଖଲ ନିମନ୍ତେ ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରମାନଙ୍କରେ ଅତ୍ୟଧିକ ଗହଳି ନକରି ଶାନ୍ତି ଶୃଙ୍ଖଳାର ସହ ନିର୍ଭୁଲ ଭାବେ ଫର୍ମ ପୂରଣ କରି ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ସମସ୍ତ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ଏବଂ ଯଦି ଏଥି ପ୍ରତି ଖିଲାପ କରି ହିତାଧିକାରୀମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାହୁଏ ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମହାଜନ ସୂଚନା ଦେଇଥିଲେ । ଜିଲ୍ଲାର ୧୭ ଟି ବ୍ଲକ, ୩ ଗୋଟି ପୌର ପରିଷଦ ଏବଂ ରାଉରକେଲା ମହାନଗର ନିଗମ ଦ୍ଵାରା ଅଙ୍ଗନୱାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ୭୯୨୩୨୬ ଗୋଟି ସୁଭଦ୍ରା ଫର୍ମ ପ୍ରଦାନ କରଯାଇଥିଲା ଏବଂ ସେଥିମଧ୍ୟରୁ ୫୭୫୫୬୫ ଗୋଟି ଫର୍ମ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଅଛି ଏବଂ ଫର୍ମ ବଣ୍ଟନ ବର୍ତ୍ତମାନ ମଧ୍ୟ ଜାରି ରହିଛି । ଜିଲ୍ଲାରେ ୧୩୧୨ ଗୋଟି ଜନ ସେବା କେନ୍ଦ୍ର ଏବଂ ୩୩୪ ଗୋଟି ମୋ ସେବା କେନ୍ଦ୍ର ମାନଙ୍କରେ ପୂରଣ ହୋଇଥିବା ଏହି ଫର୍ମ ଗୁଡ଼ିକର ଡିଜିଟାଇଜେସନ କରାଯାଉ ଅଛି । ସୁଭଦ୍ରା ଯୋଜନା ସମ୍ପର୍କିତ କୌଣସି ସନ୍ଦେହ, ସହାୟତା କିମ୍ବା ଅଭିଯୋଗ ରହିଥିଲେ ସରକାରଙ୍କ ଟୋଲ ଫ୍ରି ନମ୍ବର ୧୪୬୭୮କୁ ଯୋଗାଯୋଗ କରିପାରିବେ । ସେହିଭଳି ଜିଲ୍ଲା ସ୍ତରରେ ମଧ୍ୟ ଟୋଲ ଫ୍ରୀ ନମ୍ବର ୧୮୦୦୩୪୫୭୪୬୧ ଜାରି କରାଯାଇଅଛି । ସେହିପରି ସମସ୍ତ ଆଇ. ସି.ଡି.ଏସ ସ୍ତରରେ ମଧ୍ୟ ହିତାଧିକାରୀମାନଙ୍କୁ ସହାୟତା ପାଇଁ ହେଲ୍ପ ଡେସ୍କ ଖୋଲା ହେଇଛି । ଏଥି ନିମନ୍ତେ ଦୁଇ ଜଣ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ସୁଭଦ୍ରା ଯୋଜନା ଉପରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସେପ୍ଟେମ୍ବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ଭ୍ରମଣ କରିବ । ସେହିପରି ସମସ୍ତ ହିତାଧିକାରୀମାନେ ଏହି ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହୋଇ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବାରେ ସହାୟକ ହେବେ ବୋଲି ସେ ମତ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେସ୍ୱରି ପଟେଲ, ମୋମତାର ଜିଲ୍ଲା ସଂଯୋଜକ ଶ୍ରୀ ଚିନ୍ମୟ ସରାଫ, ଡି.ଜି.ଏମ. ଶ୍ରୀ ଅଂଶୁମାନ ପୁରୋହିତ, ଜନସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଶ୍ରୀ ସୁମନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।