ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ହିଞ୍ଜିଳିକାଟୁରେ ସଦସ୍ୟତା ଅଭିଯାନ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୌର ପରିଷଦ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ କହିଥିଲେ ଯେ, ସଂଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତ୍ତା ଏବଂ ଦଳର ଶକ୍ତିର ମୂଳ ଆଧାର ହେଉଛି ସଂଗଠନ। ସରକାର ଓ ସଂଗଠନ ମଧ୍ୟରେ ସମନ୍ଵୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ଆଉ ଏଥି ନିମନ୍ତେ ଘରକୁ ଘର ବୁଲି ସଦସ୍ୟତା ଗ୍ରହଣ କରାଯିବ । ସଦସ୍ୟତା ଅଭିଯାନ ପରେ ସମସ୍ତ ପଞ୍ଚାୟତ ଓ ମଣ୍ଡଳ ସ୍ତରୀୟ ସାଂଗଠନିକ ମୋର୍ଚ୍ଚା ପ୍ରସ୍ତୁତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ଜିଲ୍ଲା ସଦସ୍ୟତା ଅଭିଯାନ ପ୍ରଭାରୀ ତଥା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, ନାରାୟଣ ବେହେରା, ଅନିଲ କୁମାର ପଣ୍ଡା ଓ ଜିଲ୍ଲା ଉପସଭାପତି ମାଧବ ଗୌଡ଼ ମଞ୍ଚାସୀନ ଥିଲେ । ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଯୁବମୋର୍ଚ୍ଚା ସଭାପତି ନୀତେଶ ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ବିକାଶ ମହାନ୍ତି ଓ ମଣ୍ଡଳ ସଧାରଣ ସମ୍ପାଦକ ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସଂଯୋଜନା କରିଥିଲେ ।