ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ପ୍ରମୁଖ କର୍ମକର୍ତାଙ୍କୁ ନେଇ ଜିଲ୍ଲା ଆବହାକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଖଡ଼ିଆଳ ସ୍ଥିତ ଅଗ୍ରସେନ୍ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୂଆପଡା ଜିଲ୍ଲାର ଶ୍ରମିକ ବର୍ଗର ବିଶେଷ କରି ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ ବର୍ଗର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସଙ୍ଗଠନର ଦୃଢ଼ତା ଓ ସକ୍ରୀୟତା, ନୂଆପଡା ଜିଲ୍ଲାକୁ ଦାଦନ ମୁକ୍ତ କରିବା ସହିତ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଖରିଆର ରୋଡ଼ରୁ ନୂଆପଡା ଜିଲ୍ଲା ସଦର ମହକୁମାକୁ ତୁରନ୍ତ ସ୍ଥାନାନ୍ତରଣ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ପ୍ରତ୍ୟେକ ବ୍ଲକରେ ଶ୍ରମ ଅଧିକାରୀ ନିଯୁକ୍ତି, ନିର୍ମାଣ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ, ଜିଲ୍ଲାରେ ତୁରନ୍ତ ଦାଦନ ଟାସ୍କ ଫୋର୍ସ କମିଟି ଗଠନ ଇତ୍ୟାଦି ଦାବୀ ହାସଲ ପାଇଁ ମହାସଂଘର ଆଗାମୀ କାର୍ଯ୍ୟପନ୍ଥା ଅବଲମ୍ବନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକଙ୍କ ସମସ୍ୟା, ମହାସଂଘର ସାଂଗଠାନିକ ଦୃଢ଼ତା, ବିସ୍ତାର ଓ ଆଗାମୀ କାର୍ଯ୍ୟପନ୍ଥା ସହିତ ଭେଟଘାଟ ହେବ ବୋଲି ମହାସଂଘର କର୍ମକର୍ତାମାନେ ମତ ପ୍ରକାଶ କରିଥିଲେ । ନୂଆଖାଇ ପର୍ବ ପରେ ସେପ୍ଟେମ୍ବର ଦଶରୁ ଅଠର ତାରିଖ ମଧ୍ୟରେ ଜିଲ୍ଳାର ପାଞ୍ଚଟି ବ୍ଲକର ବୈଠକ ସମାପ୍ତ କରି ସେପ୍ଟେମ୍ବର କୋଡ଼ିଏ ତାରିଖରୁ ପଚିଶ ତାରିଖ ମଧ୍ୟରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଆପାତତଃ ସ୍ଥିର ହେଲା । ଏହି ବୈଠକରେ ମହାସଂଘର ଉପଦେଷ୍ଟା ଶ୍ରୀ କେଶବ ବେହେରା, ସହ ଆବାହକ ପ୍ରଦୀପ ଦଣ୍ଡସେନା ଓ ଭକ୍ତବନ୍ଧୁ ଧରୁଆ, ଶୁକ୍ଲାମ୍ବର୍ ନିଆଲ୍, ସୁଖ ଦେବ୍ ସାହୁ, ଚୈତନ୍ୟ ତାଣ୍ଡି, ଜ୍ଞାନରଞ୍ଜନ ସାହୁ, ଭାରତ ମାଝୀ, ଅନିରୁଦ୍ଧ ନାଗ, ଜ୍ଞାନେଶ୍ୱର୍ ବାଗ, ପୁସ୍ତମ୍ ମଶ୍ରା, କୋଦଣ୍ଡ ରାଉତ ରାୟ,ବାବୁଲାଲ ମାଝୀ, ପ୍ରେମଲାଲ ନାଏକ, ପରମାନନ୍ଦ ହଂସ, ବଲଧର୍ କେତକୀ, ଦିଗାମ୍ବର ମାଝୀ, ଗଜପତି ବନଛୋର, କୁଞ୍ଜ ବିହାରୀ କଟାଙ୍କ ସହିତ ପଚାଶରୁ ଉର୍ଦ୍ଧ୍ବ ବିଭିନ୍ନ ଟ୍ରେଡ ୟୁନିଅନର କର୍ମକର୍ତ୍ତା ସାମିଲ୍ ହେଇଥିଲେ ।