କୋକସରା(ତ୍ରିଲୋକ୍ୟ ବେଶ୍ରା): ବିଗତ କିଛିଦିନ ହେବ କ୍ରମାଗତ ଭାବେ କୋକସରା ବ୍ଲକର ଆମପାଣି ଓ କୋକସରା ଥାନାଞ୍ଚଳରୁ ଚାଷିଙ୍କ ଛେଳି, ମେଳଛା ଚୋରି ବୃଦ୍ଧି ପାଇଛି । ଶନିବାର ବିଳମ୍ବିତ ରାତିରେ ମୋଟେର ଫାଣ୍ଡି ଅଧୀନରେ ଥିବା ମୋଟେର ଗ୍ରାମର ଜନ୍ମେଜୟ ପାନ ଓ ବନ ଦୁର୍ଗା ବେଳପଡାର ଜଣେ ବିଧବା ମହିଳା ସୁବର୍ଣ୍ଣି ଭୋଇଙ୍କୁ ନିଜର ଛେଳି ଓ ମେଳଛା ଚରାଇବାକୁ ଦେଇଥିଲେ । ତାଙ୍କ ଗୁହାଳ ଘରେ ଛେଳି ରଖି ଥିଲେ । ଶନିବାର ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୁର୍ତ୍ତ ପାଖ ପଡିଶା ଲୋକଙ୍କ ଘର ବାହାରୁ ତାଲା ଦେଇ ଗୁହାଳରୁ ୫ ଗୋଟି ଛେଳି ଓ ମେଳଛାକୁ ଏକ ଗାଡିରେ ଲଦି ଚମ୍ପଟ ମାରିଥିଲେ । ଏହି ସମୟରେ ବୁଲା କୁକୁରଙ୍କ ଭୋକିବା ଶୁଣି ମହିଳା କବାଟ ଖୋଲିବାରୁ ବାହାର ପଟୁ ତାଲା ଦେଇଥିବା ଜାଣିବାକୁ ପାଇ ପଡିଶା ଲୋକଙ୍କୁ ଡାକିବା ପରେ ଦେଖିଲେ ଯେ ଗୁହାଳରୁ ଛେଳି ଚୋରି ହୋଇଛି । କିଛି ବାଟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇଲେ ନାହିଁ । ଏନେଇ ରବିବାର ମୋଟେର ଫାଣ୍ଡିରେ ଦୁଇ ଛେଳି ଚାଷି ଜନ୍ମେଜୟ ପାନ ଓ ବନ ଦୁର୍ଗା ଅଭିଯୋଗ କରିଛନ୍ତି । ଏହି ଭଳି କୋକସରା ଓ ଆମପାଣି ଥାନା ଭାଲୁପଡା, ଖଲିଗଡ଼, ବରାଡ଼ଙ୍ଗା ଅଞ୍ଚଳରୁ ମଧ୍ୟ କିଛିଦିନ ତଳେ ଅନୁରୂପ ଭାବେ ଛେଳି ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏଦିଗରେ ପୁଲିସ ପ୍ରଶାସନ ତଦନ୍ତ କରିବା ସହ ଗ୍ରାମାଞ୍ଚଳରେ ପେଟ୍ରୋଲିଂ କରିବାକୁ ଦାବି ହେଉଛି ।