ଦୁର୍ବୃତ୍ତ ଜାଳି ଦେଲା ଏକ ବାଇକ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରର ଷ୍ଟେଟ୍ ବ୍ୟାଙ୍କ ନିକଟସ୍ଥ କେନ୍ଦୁ ସାହିରେ ଜଣେ ଯୁବକଙ୍କ ଘର ବାହାରେ ଥିବା ବାଇକରେ ବିଳମ୍ବିତ ରାତିରେ ନିଆଁ ଲଗାଇଛି କେହି ଦୁର୍ବୃତ୍ତ । ବାଇକଟି ଜିତେନ୍ଦ୍ର ଚୌଧୁରାଙ୍କର ବୋଲି ଜଣାପଡ଼ିଛି । ନିଜ ଘର ବାହାରେ ବାଇକକୁ ରଖି ରାତିରେ ଶୋଇଥିବା ବେଳେ କେହି ଜଣେ ଅଜଣା ଦୁର୍ବୃତ୍ତ ବାଇକରେ ନିଆଁ ଲଗାଉଥିବା ଭିଡିଓ ପେଡ଼ୋଶୀ ଘର ସିସିଟିଭି ଫୁଟେଜରେ କଏଦ ହୋଇଛି । ବାଇକଟି ସମ୍ପୂର୍ଣ୍ଣ ପୋଡ଼ିଯାଇ ନଷ୍ଟ ହୋଇଯାଇଛି । ଖବର ପାଇ ଗୁଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ବାଇକଟି ସମ୍ପୂର୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଘଟଣା ଗୁଣପୁର ଆଦର୍ଶ ଥାନା ଠାରୁ ଖୁବ୍ ନିକଟରେ ହୋଇଥିଲା । ଏନେଇ ଜିତେନ୍ଦ୍ର ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜରେ ଜଣେ ମହିଳା ବାଇକଟିକୁ ନିଆଁ ଲଗାଉଥ‌ିବା ଦେଖିବାକୁ ମିଳିଛି । କାହିଁକି ଦୁର୍ବୃତ୍ତ ନିଆଁ ଲଗାଇଲେ ତାହା ଖବର ଲେଖାହେବା ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହିଭଳି ଘଟଣା ଘଟାଇଥିବା ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ଗୁଣପୁର ସହରରେ ଏହା ଦ୍ବିତୀୟ ଘଟଣା ଅଟେ। ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ କୁମୁଟି ସାହିରେ ଏହିଭଳି ଘଟଣା ପୂର୍ବରୁ ଘଟିଥିଲା କିନ୍ତୁ ତାହାର ପର୍ଦାଫାସ ହୋଇପାରିଲା ନାହିଁ । ଏବେ ଏହା ଦ୍ଵିତୀୟ ଥର ପାଇଁ ଦେଖିବାକୁ ମିଳିଛି।