ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତରେ ଦିନକୁ ଦିନ ବେଆଇନ ଦେଶୀ ମହୁଲି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି l ବିଶେଷ କରି ନାବାଳକମାନେ ନିଶା ଶକ୍ତ ଅବସ୍ଥାରେ ବିଭନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୁରୁଷମାନେ ମଦ୍ୟପ ପାନ କରି ପରିବାରମାନଙ୍କରେ କଳହ ସୃଷ୍ଠି କରୁଛନ୍ତି l ଅନେକ ସମୟରେ ଅକାଳ ମୃତ୍ୟୁର ଶିକାର ହେଉଥିବା ଅଭିଯୋଗ ହୋଇଛି । କାଟିଙ୍ଗିଆ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଆଞ୍ଚଳିକ ମହିଳା ସଂଗଠନ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି l ଗୁରୁବାର ଦିନ ସଙ୍ଗଠନର ସଭାନେତ୍ରୀ ଯଜ୍ଞସିନି ମଲ୍ଲିକ, ସମ୍ପାଦିକା ସୁମତି ପାଢ଼ୀ ଓ ସରପଞ୍ଚ ଶୁଭଦ୍ରା ପଡରାଙ୍କ ନେତୃତ୍ୱରେ ମହିଳାମାନେ ବ୍ରାହ୍ମଣୀଗାଁ ଥାନାକୁ ଆସି ମଦ କାରବାର ବନ୍ଦ କରିବା ପାଇଁ ଏକ ଲିଖିତ ଦାବିପତ୍ର ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ମହିଳାମାନେ ମଦ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରଦାନ କରିଛନ୍ତି ଏବଂ କହିଛନ୍ତି କି ମଦ ବେପାରୀମାନେ ଖୋଲାଖୋଲି ମଦ ବିକ୍ରୀ କରୁଛନ୍ତି ଏଵଂ ସାହସର ସହ କହୁଛନ୍ତି କି ପୁଲିସକୁ ଆମେ ମାସୁଆରୀ ଦେଉଛୁ ତୁମେ ଯେତେ ଅଭିଯୋଗ କଲେ ବି ଆମର ଡରିବାର ନାହିଁ ବୋଲି ଓଲଟା ମା ମାନଙ୍କୁ ଧମକ ଦେଉ ଥିବା ଅଭିଯୋଗ କରିଛନ୍ତି । ଯଦିଓ ବେଆଇନ ମଦ କାରବାର ବନ୍ଦ କରିବାରେ ପ୍ରଶାସନ ସହଯୋଗ ନ କଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପାଇବା ପରେ ମା ସଂଘର ସହଯୋଗରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।