ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, କ୍ଷତି ପୂରଣ ଦାବୀ କଲେ ପରିବାର ଲୋକ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ପର୍ତ୍ତମାହା ପଞ୍ଚାୟତ ପେତାରବାଡି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ଆବେଦନ ପ୍ରଧାନ। ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ କ୍ଷତିପୂରଣ ଦାବି କରିଥିଲେ । ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକାଶ୍ୟ ଯେ ପେତାରବାଡି ନିକଟ ଏକ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏକ ଠିକା ସଂସ୍ଥା ପକ୍ଷରୁ ରାସ୍ତାରେ ଆବେଦନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେ ଲୁହାର ଏକ ଲମ୍ବା ସ୍କେଲରେ ମାପିବା ବେଳେ ସେହି ରାସ୍ତା କଡରେ ଥିବା ୧୧ କେଭି ବିଦ୍ୟୁତ ତାର ସଂଯୋଗରେ ଆବେଦନ ଆସିଯାଇଥିଲେ ଓ ସେଠାରେ ସେ ଗୁରୁତର ହୋଇ ପଡ଼ିଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତରେ ଠିକସଂସ୍ଥା ପକ୍ଷରୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦାରିଙ୍ଗବାଡି ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ । ତେବେ ସେଠାରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଠିକସଂସ୍ଥା କ୍ଷତିପୂରଣ ଦେବାକୁ ପରିବାର ଲୋକେ ଦାବି କରିଥିଲେ । କ୍ଷତିପୂରଣ ଦେବାକୁ ପ୍ରତିଶୃତି ମିଳିବା ପରେ ମୃତଦେହ ବ୍ୟବଛେଦ ହୋଇଥିବା ପୁଲିସ କହିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।