କନ୍ଧମାଳରେ ଦଙ୍ଗା ଗୁଜବକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ, ଭୟଭୀତ ନ ହେବା ପାଇଁ ଅଂଚଳ ବାସୀଙ୍କୁ ଘୁ.ଉଦୟଗିରି ଏସଡିପିଓଙ୍କ ନିର୍ଭୟ ପ୍ରତିଶୃତି…
ଅନୁସନ୍ଧାନ ଭାରତ(ବ୍ୟୁର): କିଛିଦିନ ହେବ କନ୍ଧମାଳ ଜିଲ୍ଲାରେ ଆସନ୍ତା 23 ତାରିଖ ଠାରୁ ଦଙ୍ଗା ହେବା ନେଇ ସୋସିଆଲ ମିଡିଆରେ ହେଉଥିବା ଗୁଜବ ପ୍ରଚାର କାରଣରୁ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାର ନିଜ ଘର ଭିଟାମାଟି ଛାଡ଼ି ଅନ୍ୟସ୍ଥାନକୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି l ଏହି ଦଙ୍ଗା ଗୁଜବ ଖବର ପ୍ରସାରଣ ଫଳରେ ସ୍ଥାନୀୟ ଅଞ୍ଚଳ ବାସିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଗ୍ରାମାଞ୍ଚଳରେ ଲୋକେ ଭୟଭୀତ ଅବସ୍ତାରେ ନିଜ ପିଲା ଛୁଆଙ୍କୁ ନେଇ ଜୀବନ ଯାପନ କରୁଛନ୍ତି । ଏପରି ପରିସ୍ଥିତି ଉପୁଜିଛି ଯେ ବାହାର ଜିଲ୍ଲାକୁ ଯାଉଥିବା ବସ୍ ମୁଖ୍ୟତଃ ଭୁବନେଶ୍ବର ଯାଉଥିବା ବସ୍ ଗୁଡ଼ିକରେ ପ୍ରବଳ ଭିଡ଼ ଯୋଗୁଁ ଟିକେଟ ମିଳୁନି । ଏ ନେଇ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ସଂଖ୍ୟା ଲଘୁ ସମ୍ପ୍ରଦାୟର ଲିଡର ପ୍ରଶାନ୍ତ କୁମାର ଦାସ, ଆମୋଦ ଚନ୍ଦ୍ର ନାୟକ, ସମାଜ ସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ଚିନ୍ମୟ କୁମାର ସେଠୀ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ଘୁ.ଉଦୟଗିରି ଏସଡିପିଓ ଏବଂ ଆଇଆଇସିଙ୍କୁ ସାକ୍ଷାତ କରି ଗୁଜବ ଘଟଣା ବିଷୟରେ କହିଥିଲେ ଓ ପୁଲିସ ପ୍ରଶାସନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଭୟମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏସଡିପିଓ ତତକ୍ଷଣାତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଖବର ଦେବା ପରେ ଅପରାହ୍ନ 5.30 ମିନିଟ ସମୟରେ ସ୍ଥାନୀୟ ଘୁ.ଉଦୟଗିରି ବ୍ଲକ ସଭାଗୃହ ଠାରେ ଜନସାଧାରଣ, ବ୍ଲକ ପ୍ରଶାସନ ଓ ପୁଲିସ୍ ପ୍ରଶାସନ ତତ୍ପରତା ଦେଖେଇ ସ୍ଥାନୀୟ ଅଞ୍ଚଳର ଲଘୁ ସମ୍ପ୍ରଦାୟ, କୁଇ ସମାଜ, ବୁଦ୍ଧିଜିବୀ, ଏନଏସି ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, କାଉନସିଲର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା.। ଘୁ.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ଭାଗବାନ ପୂଜାରୀ, ଅତିରିକ୍ତ ଉପ ଜିଲ୍ଲାପାଳ ତଥା ବିଡିଓ ମନୋଜ କୁମାର ଦେବତା, ତହସିଲଦାର ରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ ଉପସ୍ଥିତ ରହି ସମସ୍ତ ଜନସାଧାରଣଙ୍କୁ ଏହି ଗୁଜବ ନେଇ ସ୍ପଷ୍ଟୀକରଣ ଦେଇଥିଲେ । ଏହା ଏକ ମିଥ୍ୟା ଗୁଜବ ପ୍ରଚାର ବୋଲି କହିବା ସହ ଭୟମୁକ୍ତ ହୋଇ ରହିବାକୁ ଅନୁରୋଧ କରିଥିଲେ l ଯେଉଁମାନେ ଭୟରେ ଜିଲ୍ଲା ଛାଡ଼ି ବାହାରକୁ ଚାଲିଯାଇଛନ୍ତି ସେମାନଙ୍କୁ ଫେରିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ଯିଏ ଏହି ଗୁଜବ ପ୍ରଚାର କରିଛି ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଥିଲେ ।