ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ…

କୋକସରା( ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା, ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡାର ସନୁ ଛାତ୍ରୀଆଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ସୂଚନା ମତେ ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡାର ସନୁ ଛାତ୍ରୀଆ ଆଜକୁ ୩ ମାସ ତଳେ ପେଟପାଟଣା ପାଇଁ ନିଜ ସମ୍ପର୍କୀୟ ଶଳା (ଛତିଶଗଡ଼ ଝାକରପଡା) ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଠିକାସଂସ୍ଥାରେ ବିଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଝାଡ଼ାବାନ୍ତି ହୋଇ ଦେହ ଅସୁସ୍ଥ ହେବାରୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତୁରା ହେମରାଜ ଛାତ୍ରୀଆ କହିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲରେ ରହିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ଶବ ଭିଟାମାଟିକୁ ପଠାଇବା ନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯାଇଛି । ଅନ୍ୟ ପକ୍ଷରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ଚିନ୍ତାରେ ପରିବାରର ସଦସ୍ୟ । ପରିବାର ପକ୍ଷରୁ ପ୍ରଶାସନକୁ ମୃତ ଦେହ ଫେରାଇ ଆଣିବାକୁ ନିବେଦନ କରାଯାଇଛି ।