ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ସହ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ନିଶା କବଳରୁ ସମାଜକୁ ରକ୍ଷା କରିବା ନିମନ୍ତେ ସମ୍ବାଦ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି ତାହା ହେଉଛି ନିଶା ନିବାରଣ । ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା, ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରେ ନିଶା ନିବାରଣ ଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ କରିବା ସହ ବେଶ ଆଗ୍ରହ ସହକାରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ନିଶା ଠାରୁ ଦୂରେଇ ରହିବା ନିମନ୍ତେ ଶପଥ କରିଛନ୍ତି । ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ରକ୍ଷା ବନ୍ଧନ ସହ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି ଯୋଗ ଦେଇ ସମ୍ବାଦର ଏହିଭଳି ମହାନ ସାମାଜିକ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ ବାଘ, ବରିଷ୍ଠ ସମାଜସେବୀ ଶିଶିର ପଟ୍ଟନାୟକ, ଶିକ୍ଷାବିତ ଗୋଲକ ପଟ୍ଟନାୟକ, ସୁଧୀର ସାହୁ, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତିର ସମ୍ପାଦକ ଇଂ ହରିଶଙ୍କର ରାଉତ୍ତ,ଏମଏମସିଏଚଟିର ନିର୍ଦେଶକ ପ୍ରଦୀପ ମଲିକ, ସ୍ଥାନୀୟ ଥାନା ଆଇଆଇସି ଭଗବାନ ପୂଜାରୀ, ଏନଏସିର ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର, ସମ୍ବାଦ ସାହିତ୍ୟ ଘରର ସଭାପତି ଅବସରପ୍ରାପ୍ତ ଶିକ୍ଷା ବିଭାଗ ଅଧ୍ୟାପକ ଲଡୁକିଶୋର ରଥ, ସମ୍ପାଦକ ତଥା କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ନଳିନୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପବିତ୍ର କୁମାର ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ନିଶା ନିବାରଣ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ନିଶା ନିବାରଣ ସଙ୍ଗୀତର ତାଳେ ତାଳେ ଉପସ୍ଥିତ ମହିଳା, ଛାତ୍ରୀମାନେ ପୁରୁଷ ଏବଂ ଛାତ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ପରସ୍ପରକୁ ମିଠା ଖୁଆଇଥିଲେ । ତତ୍ପରେ ମୁଖ୍ୟ ଅତିଥି ସମସ୍ତ ପୁରୁଷ ଏବଂ ଛାତ୍ରମାନଙ୍କୁ ନିଶା କେବେ ସେବନ ନ କରିବା ନିମନ୍ତେ ଶପଥ ପାଠ କରାଇଥିଲେ । ଛାତ୍ର ଏବଂ ପୁରୁଷମାନେ ନିଜ ହାତରେ ରାକ୍ଷୀ ବାନ୍ଧିଥିବା ଭଉଣୀର ନାମ ନେଇ ଶପଥ ପାଠ କରିଥିଲେ କେବେ ମଧ୍ୟ ନିଶା ସେବନ କରିବୁ ନାହିଁ । ସମ୍ପାଦକ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମାଧବାନନ୍ଦ ଦାଶ ସମସ୍ତ ସହଯୋଗ କରିଥିବା ବେଳେ ରକ୍ତଦାତା ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ଯୁବ ସାମ୍ବାଦିକ ଚିନ୍ମୟ କୁମାର ସେଠୀ, ରକ୍ତଦାତା ଶଙ୍କର ମଲିକ, ଆଲୋକ ନାୟକଙ୍କ ସମେତ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା କର୍ମଚାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇନୋଭେଟିଭ ଟ୍ୟୁଟୋରିଆଲର ସମସ୍ତ ଛାତ୍ରଛାତ୍ରୀ, ଏମଏମସିଏଚଟି ର ଛାତ୍ରୀ ଏବଂ ସ୍ଥାନୀୟ ସହରର ବୁଦ୍ଧିଜୀବୀ, ସାମ୍ବାଦିକ, ଛାତ୍ରଛାତ୍ରୀ, ସ୍ବେଚ୍ଛାକୃତ ରକ୍ତଦାତା, ସମ୍ବାଦ ସାହିତ୍ୟ ଘର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।