କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ରାଲି….

କୋରାପୁଟ(ଭଗବତୀ ଆଚାରୀ): କୋଲକତା ଆର.ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କୋରାପୁଟ ଜିଲ୍ଲାର ଡାକ୍ତର ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି । ସକାଳୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ଧାରଣା ଦେବା ସହ ସଂଧ୍ୟାରେ ରାଲି କରିଥିଲେ | ସେହିପରି ଓମ‌ସା ଜିଲ୍ଲା ସଭାପତି ଡା.ମୁକ୍ତିକାନ୍ତ ଖଟୁଆଙ୍କ ନେତୃତ୍ବରେ ଜିଲ୍ଲାର ଅନ୍ୟ ଡାକ୍ତରଖାନାର ଡାକ୍ତର ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ | ଏଥିରେ ସଂପାଦକ ଡା. ଭାଗବତ ପ୍ରସାଦ ମୁର୍ମୁ, ଡା. ମୋନାଲିସା ନାୟକ, ଡା. ସୋମନାଥ ସାହୁ, ଡା. ଏମ୍. ଏନ୍ ହେମ୍ବ୍ରମ, ଡା.ଶ୍ରୀକାନ୍ତ ଶତପଥୀ ପ୍ରମୁଖ ସାମିଲ ହୋଇ କଳାବ୍ୟାଜ୍ ପରିଧାନ ପୂର୍ବକ ପ୍ରତିବାଦ ଜଣାଇଥିଲେ | ଆଇଏସ୍ଏ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରାକୁ ସମସ୍ତ ସଦସ୍ୟ ସହମତି ଜଣେଇବା ସହ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ରାଲି କରିଥିଲେ | ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧାରଣା ଦିଆଯାଇଥିଲା | ଡାକ୍ତରଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧକୁ ତୁରନ୍ତ ରୋକିବା ସହ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦିଆନଗଲେ କାର୍ଯ୍ୟ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା | ସେହିପରି ମେଡିକାଲ କଲେଜର ଡାକ୍ତରମାନେ ବି ଧାରଣା ଦେବା ସହ କ୍ୟାଣ୍ଡଲ ରାଲି କରିଥିଲେ | ଡାକ୍ତରଙ୍କ ଆନ୍ଦୋଳନ ସତ୍ତ୍ବେ ଜରୁରି ସେବା ଜାରି ରହିଥିଲା |ଏହି ଭଳି ବିଭିନ୍ନ ରାଜ୍ୟର ଡାକ୍ତର ମାନେ ମଧ୍ୟ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ l ସେହିପରି ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଡାକ୍ତର ଧାରଣା ଦେବା ସହ ସଂଧ୍ୟାରେ ରାଲି କରି ପ୍ରତିବାଦ ଜଣାଇଥିଲେ |