ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ମହିଳାଙ୍କ ମୃତ୍ୟୁ ମାମଲା, କୁକୁଡ଼ା ଫାର୍ମ କେରଟେକର୍ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଗୋଲାପଡା ପଞ୍ଚାୟତର ଶରଧାପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରୁ ଶନିବାର ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ମାମଲାରେ ପୁଲିସ କୁକୁଡ଼ା ଫାର୍ମ କେରଟେକର୍ ଶଙ୍କର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନାଧିକାରୀ କୁମର ମୁଦୁଲିଙ୍କ ସୂଚନା ପ୍ରକାରେ, ଫାର୍ମ ମାଲିକ ଓ ଫାର୍ମ ପରିଚାଳନା ଦାୟିତ୍ୱରେ ଥିବା କେରଟେକର ଉକ୍ତ କୁକୁଡ଼ା ଫାର୍ମର ଚାରି ପଟେ ବନ୍ୟଜନ୍ତୁ କୁକୁଡ଼ା ଖାଇଯିବା ଭୟରେ ବିଦ୍ୟୁତ ତାର ଗୁଡ଼ାଇ ରଖିଥିଲେ । ଫଳରେ ମହିଳା ଜଣଙ୍କ ସେଠାକୁ ଯାଇ ଉକ୍ତ ତାରଜାଲିକୁ ଛୁଇଁବା କ୍ଷଣି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିଲେ । ଘଟଣାକୁ ଲୁଚାଇବା ପାଇଁ ଫାର୍ମ ମାଲିକଙ୍କ ନିର୍ଦ୍ଦେଶ କ୍ରମେ କେରଟେକର୍ ଜଣଙ୍କ ମହିଳାଙ୍କ ମୃତଦେହ ଏବଂ ଫାର୍ମ ଚାରିପଟୁ ବିଦ୍ୟୁତ ତାର ବାହାର କରି ଦେଇଥିଲେ । ଏହା ପରେ ନିକଟସ୍ଥ ଗୋଲାପଡ଼ା ନଦୀରେ ବିଦ୍ୟୁତ ତାର ଗୁଡିକୁ ଫିଙ୍ଗି ଦେଇଥିଲେ । ଏ ନେଇ ପୁଲିସ କେରଟେକର୍ ଶଙ୍କର ପ୍ରଧାନଙ୍କୁ ପଚରାଉଚରା କରିବା ପରେ ସେ ଘଟଣାକୁ ସ୍ୱୀକାର କରିଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଜବତ କରିବା ସହ ଶଙ୍କରକୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ମୃତକ ଗୋଲାପଡା ଗ୍ରାମର ନିଳାଞ୍ଚଳ ସାମଲଙ୍କ ପତ୍ନୀ ମିନତୀ ସାମଲ(୩୦) ଗ୍ରାମର ଏକ ସ୍କୁଲରେ ରୋଷେୟା ଭାବେ କାମ କରୁଥିଲେ। ଶନିବାର ଶରଧାପୁର ଗ୍ରାମ ନିକଟରେ ଥିବା ଏକ କୁକୁଡା ଫାର୍ମ ଠାରେ ତାଙ୍କ ମୃତଦେହ ପଡିଥିବା ଖବର ପାଇଁ ପରିବାର ଲୋକ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ମହିଳାଙ୍କ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାହା କିଭଳି ହୋଇଛି ସେଦିଗରେ ତଦନ୍ତ କରିବା ସହ ମହିଳାଙ୍କ ମୋବାଇଲକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ମୃତ୍ୟୁର କାରଣ ଖୋଜିବା ପାଇଁ ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ପୁଲିସ ସାଇଣ୍ଟିଫିକ୍‌ ଟିମ୍ ର ସାହାଯ୍ୟ ନେଇଥିଲା । ମୃତ ମିନତୀଙ୍କ ମାଆ ଚନ୍ଦ୍ରମଣୀ ପ୍ରଧାନଙ୍କ ଏତଲା ପ୍ରକାରେ ପୁଲିସ୍‌ କେସ୍‌ ନମ୍ବର ୭୧୨/୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ବ୍ୟାପକ କରିଥିଲା ।